ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଅଘୋଷିତ ବିଦ୍ୟୁତ୍ କାଟ : ଝାଞ୍ଜି ଖରାରେ ସିଝୁଛନ୍ତି ନୂଆପଡ଼ାବାସୀ

ନୂଆପଡା, (ନିରାକାର ମେହେର) : ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବେଶ ପ୍ରଭାବିତ କରୁଛି । ନୂଆପଡା ଜିଲ୍ଳାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା ନୂଆପଡା ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗିରହିଛି । ପାରଦ ଉପରମୁହାଁ ରହିଥିବାବେଳେ ଜିଲ୍ଲାରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସକାଳ ୭ଟାରୁ ପ୍ରଚଣ୍ଡ ଖରା ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଅତି ଜରୁରୀ କାମରେ ଯାତାୟତ କରୁଥିବା ଲୋକମାନଙ୍କୁ ରାସ୍ତାକଡ଼ରେ ପିଇବା ପାଣି ମଧ୍ୟ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଖରା ରେକର୍ଡ ସୃଷ୍ଟି କରିଥିବା ନୂଆପଡାବାସୀ ପ୍ରକାଶ କରିଛନ୍ତି । ପ୍ରଚଣ୍ଡ ରୁଦ୍ରତାପରେ ଡହଳ ବିକଳ ହେଉଛନ୍ତି ଜିଲ୍ଲାବାସୀ । ଝାଞ୍ଜି ପବନ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ସାଧାରଣ ଲୋକଙ୍କୁ ଆହୁରି ଅସୁବିଧାରେ ପକାଉଛି । ଲୋକେ ଖରାରୁ ମୁକ୍ତି ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥୁବା ବେଳେ ପାନୀୟ ଜଳ ସମସ୍ୟାରେ କଷ୍ଟକୁ ଦ୍ୱିଗୁଣିତ କରୁଛି । ନୂଆପଡା ଜିଲ୍ଲାରେ ପ୍ରବଳ ଖରା ଦୀର୍ଘ ୨୦ ବର୍ଷର ରେକର୍ଡ ଭାଙ୍ଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏଭଳି ଖରା ଆଗରୁ କେବେ ହୋଇନଥିବା ଲୋକେ ପ୍ରକାଶ କରିଛନ୍ତି । ଖରାର ପ୍ରକୋପରେ ଲୋକେ ସକାଳ ୭ଟାରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଅତି ଜରୁରୀ କାମରେ ଲୋକେ ପଦାକୁ ବାହାରି ଶୀଘ୍ର କାମ ସାରି ଘରକୁ ଫେରୁଛନ୍ତି । ଅତ୍ୟଧିକ ଗରମ କାରଣରୁ ଜିଲ୍ଲାରେ ଅନେକ ଲୋକେ ଅସୁସ୍ଥ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି । ଏନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗତ କିଛିଦିନ ହେବ ଜିଲ୍ଲାରେ ପ୍ରବଳ ଖରା ଜାରି ରହିଛି । ଖରାକୁ ଦୃଷ୍ଟିରେ ରଖି ଜନ ସଚେତନତା କରାଯାଇଛି । ଜନଗହଳି ସ୍ଥାନ ଗୁଡିକରେ ଜଳ ଛତ୍ର ବ୍ୟବସ୍ଥା କରାଯାଇଛି । ଅଂଶୁଘାତରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ବେଡ଼ର ବ୍ୟବସ୍ଥା ରହିଛି । ପର୍ଯ୍ୟାପ୍ତ ମାତ୍ରାରେ ଓଆରଏସ୍‌, ଔଷଧ ରହିଛି । ଏଥିସହ ଜରୁରୀ କାଲିନ ଭାବେ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.