ହୁସିଆର୍‌ : ବଢ଼ୁଛି ତାତି, ଏଥର ଅସମ୍ଭାଳ ହୋଇପାରେ ଗ୍ରୀଷ୍ମ ପ୍ରବାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି ତାତି । ଏଇ ସପ୍ତାହେ ଭିତରେ ତହକ ବିକଳ ହେଲେଣି ଲୋକେ । ସ୍ଥାନେ ସ୍ଥାନେ ସହର ଭିତରେ ଖରାର ତେଜ ପାଇଁ ଥଣ୍ଡା ପାନୀୟ ତଥା ତରବୁଜ ଦୋକାନ ସବୁରେ ଭିଡ଼ ଜମିଲାଣି । ବଲାଙ୍ଗିର ଜିଲ୍ଲାରେ ୩୮ ଡିଗ୍ରୀକୁ ଛୁଇଁ ସାରିଲାଣି ତାପମାତ୍ରା ବୋଲି ରେକଡର଼୍ କହୁଛି । ତେବେ ଏଥର ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ଓ ଅସମ୍ଭାଳ ହୋଇପାରେ ବୋଲି ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇ ସାରିଲାଣି । ଦିନ ୧୧ଟା ବେଳୁ ଖରାର ରାଜ୍‌ ଆରମ୍ଭ ହୋଇଯାଉଛି । ମାର୍ଚ୍ଚ ପହିଲାରୁ ଏଭଳି ଅବସ୍ଥା ଯଦି, ଆଗକୁ ଦୀର୍ଘ ୩ ମାସ କାଳ ଅବସ୍ଥା କ’ଣ ହେବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ସହର ଭିତରେ ସ୍ଥାନେ ସ୍ଥାନେ ପାନୀୟ ଜଳ ଛତ୍ର ଖୋଲିବା ଉଚିତ ବୋଲି ମଧ୍ୟ କୁହାଯାଉଛି । ସୂଚନାଯୋଗ୍ୟ ଯେ, ସହରରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଯାହା ବଡ଼ ବଡ଼ ଗଛ ଥିଲା, ସବୁ କଟା ଯାଇ ସାରିଛି । ଏବେ ଲଣ୍ଡାମୁଣ୍ଡିଆ ଭଳି ଲାଗୁଛି ସହର । ସହର ଭିତରେ ଆଉ ଗଛ ତଳ ଛାଇ ମିଳିବା ସାତ ସପନ ହୋଇ ପଡ଼ିଛି । ଅନ୍ୟପଟେ ଆଖପାଖର ଜଂଗଲ ଧ୍ୱଂସ ହୋଇ ଚାଲିଥିବା ବେଳେ କାଁ ଭାଁ ରହିଥିବା ଜଂଗଲରେ ନିଆଁ ଲାଗି ଛାର୍‌ଖାର୍‌ ହେଉଛି । ଏଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ ।

Leave A Reply

Your email address will not be published.