oom

ଗଙ୍ଗାଧରଙ୍କ ଜନ୍ମଭୂମିକୁ ତୀର୍ଥକ୍ଷେତ୍ର ଭାବେ ଘୋଷଣା କରାଯାଉ

jsmm

ତରଭା, (କେପିଏନ୍‌ଏସ୍‌) : ‌ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ଗଙ୍ଗାଧର ମେହେରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପରେ ଗଙ୍ଗାଧରୀୟ ସାହିତ୍ୟକୁ ନେଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏକାଡେମୀ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଜନ୍ମଭୂମି ବରପାଲିସ୍ଥିତ କବି ସ୍ମୃତି ସଦନଠାରେ ଗଙ୍ଗାଧରଙ୍କ ଚିଠିପତ୍ର, ଗ୍ରନ୍ଥାବଳୀ, ପାଣ୍ଡୁଲିପି, ତାଙ୍କ ବ୍ୟବହୃତ କୋଟ, ଖଟ, ଗ୍ଲାସ୍, ଥାଳି, କଲମ, ଦୁଆତ ସମେତ ଅନେକ ସାମଗ୍ରୀର ରକ୍ଷଣାବେକ୍ଷଣ କରି ସରକାରୀ ସ୍ତରରେ ମେହେର ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯିବାର ସମୟ ଉପନୀତ । କବିଙ୍କ ଜନ୍ମଭୂମି – କର୍ମଭୂମି ଅଞ୍ଚଳକୁ ଗଙ୍ଗାଧର ତୀର୍ଥକ୍ଷେତ୍ର ଭାବେ ରାଜ୍ୟ ସରକାର ଘୋଷଣା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।

ସେହିପରି ଦ୍ୱିତୀୟ ଅଧିବେଶନରେ ଆୟୋଜିତ କୋଶଲୀ କବିତା ଆସରରେ କବି ଲୋକନାଥ ଦଳବେହେରା ଅଧ୍ୟକ୍ଷତା କରିଥିବା ବେଳେ ଯୁବକବି ହିରଣ୍ମୟ ପଟ୍ଟନାୟକ ଓ ସଞ୍ଜୀବ ସେଠି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାର ତପସ୍ୱିନୀ ପଟ୍ଟନାୟକ, କମଳ ଭୂଏ, ସବିତା ମହରା, ରଶ୍ମି ପାତ୍ର, ଅଂଶୁମାନ କର୍ମୀ, ପ୍ରଭାତ ଖମାରୀ, ସ୍ବପ୍ନେଶ୍ବର ମିଶ୍ର, ଶଙ୍କର୍ଷଣ ବାଘ, ଶ୍ରଦ୍ଧାଞ୍ଜଳି କୁମ୍ଭାର, ଗରିବ ମଲ୍ଲିକଙ୍କ ସମେତ ତିରିଶରୁ ଅଧିକ କବି କବୟିତ୍ରୀ ସ୍ବରଚିତ କବିତାମାନ ପାଠ କରିଥିଲେ । ଏହି ସାରସ୍ବତ କାର୍ଯ୍ୟକ୍ରମରେ ରୋଶନ ସାହୁ, ସୁଧୀର ପଣ୍ଡା, ରାଜେଶ ଦଣ୍ଡସେନା, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଓ କପିଳାସ ସେଠ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.