ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ପାହାଡ ପର୍ବତ ଘେରା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ଼ର ବୁକୁ ଚିରି କୁଳୁ କୁଳୁ ନାଦରେ ଝରି ଆସୁଥିବା ପାପନାଶିନୀ ଝରଣାର ପାଦଦେଶରେ ଅବସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ୟ୍ୟକ୍ରମ ସକାଶେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଅନୁଦାନ ରାଶି ଦେଇଛନ୍ତି । ତାର ରୂପରେଖ ପାଇଁ ଆଜି ସୁଦୂର ଭୂବନେଶ୍ୱରରୁ ପ୍ରତ୍ନତତ୍ତ୍ଵ ବିଭାଗ ଓ ପର୍ୟ୍ୟଟନ ସଂସ୍କୃତି ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସି ପହଂଚିଥିଲେ । ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ପାଇକମାଳ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ରାଉତ, ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକ, ପାଇକମାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଧବଳେଶ୍ଵର ସାହୁ, ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର କୁମାର ମେହେର, ପାଇକମାଳ ତହସିଲଦାର ମନୋଜ ମେହେର ଏବଂ ନୃସିଂହନାଥ ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ ପୁରୋଷୋତ୍ତମ ପ୍ରଧାନଙ୍କ ଉପସ୍ଥିତିରେ ନୃସିଂହନାଥର ଉନ୍ନୟନମୂଳକ କାର୍ୟ୍ୟ ସକାଶେ ଏକ ଖସଡ଼ା ପ୍ରସ୍ତୁତି କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ପାଇକମାଳ ଠାରୁ ନୃସିଂହନାଥ ମନ୍ଦିର ପର୍ୟ୍ୟନ୍ତ ଖୁବ ଶୀଘ୍ର ଆଲୋକିକରଣ କରାଯିବ ବୋଲି ବୈଠକରେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ନୃସିଂହନାଥ ମନ୍ଦିର ର ଉନ୍ନତିକରଣ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶେଷ ତତ୍ପରତା ପ୍ରଦର୍ଶନ ସକାଶେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।