ଫାଇଭ ଟି ସଚିବଙ୍କୁ କଂଗ୍ରେସର ୫ଟି ପ୍ରଶ୍ନ, ସଚିବଙ୍କ ଗସ୍ତକୁ ବିରୋଧ କରିବା ପାଇଁ କଂଗ୍ରେସର ସଜବାଜ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୭ ତାରିଖ ଦିନ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରିବେ । ତେବେ ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଲୋଇସିଂହା ବ୍ଲକ କଂଗ୍ରେସ ବିରୋଧ କରିବା ସହିତ ଗଣମାଧ୍ୟମ ଜରିଆରେ ସ୍ଥାନୀୟ ସ୍ୱାର୍ଥ ବିଜଡିତ ପାଞ୍ଚଟି ପ୍ରଶ୍ନ କରିଛି ସଚିବଙ୍କୁ । ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ଦେବା ନେଇ ରାଜ୍ୟ ବିଧାନସଭାରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ସରକାର କାହିଁକି ସମୟ ଗଡ଼ାଇ ଚାଲିଛନ୍ତି, ଲୋୟର ସୁକତେଲ ଅବବାହିକାରେ ମାଙ୍ଗାନିଜ ଭଳି ଖଣିଜ ଦ୍ରବ୍ୟର ସନ୍ଧାନ ମିଳିଥିଲେ ହେଁ ତାର ଉତ୍ତୋଳନରେ କାହିଁକି ଅହେତୁକ ବିଳମ୍ବ ହେଉଛି, ସ୍ଥାନୀୟ ଟମାଟୋ ଚାଷୀ ଶୋଷଣର ଶିକାର ହେଉଥିଲେ ହେଁ କାହିଁକି ଶିତଳଭଣ୍ଡାର ଖୋଲାଯାଉ ନାହିଁ, ସ୍କୁଲ ଗୁଡିକରେ ଫାଇଭ୍‌ ଟି ରୂପାନ୍ତରଣ ନାମରେ ବ୍ଲକ ପ୍ରଶାସନ ସରକାରୀ ଅର୍ଥ ହରିଲୁଟରେ ମାତିଥିଲେ ହେଁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଲୋଇସିଂହା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିଲେ ହେଁ ବ୍ଲକର ଅନେକ ଗୁଡିଏ ପଂଚାୟତ ଜଳସେଚନ ସୁବିଧାରୁ କାହିଁକି ବଞ୍ଚିତ ରହିବେ ବୋଲି ପାଞ୍ଚଗୋଟି ପ୍ରଶ୍ନ କରିଛି କଂଗ୍ରେସ । ସ୍ଥାନୀୟ ସ୍ୱାର୍ଥକୁ ଆଖି ବୁଜିଦେଇ ଗଣତନ୍ତ୍ରର ହତ୍ୟା ପୂର୍ବକ ପ୍ରଶାସନିକ କଳ ଫାଇଭ ଟି ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରାଣପଣେ ଲାଗି ପଡିଥିବା ବେଳେ ସଚିବଙ୍କ ଏହି ଗସ୍ତକୁ ଲୋଇସିଂହା ବ୍ଲକ କଂଗ୍ରେସ ବିରୋଧ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ କୁମାର ବେହେରା ସୂଚନା ଦେଇଛନ୍ତି । ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀ ବେହେରା, ବରିଷ୍ଠ କଂଗ୍ରେସ ନେତା ସୁଶାନ୍ତ ସିଂ, ଅଶୋକ ବେହେରା, ଶିବକୁମାର ଅଗ୍ରୱାଲ, ପରମାନନ୍ଦ ଗଡତ୍ୟା, ସମ୍ପଦ ପୋଢ଼, ରାଧାକାନ୍ତ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.