ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଆସିଛି । ଯଦିଓ ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ମୌଳିକ ଅଧିକାର ପରିସରଭୁକ୍ତ କରି ବାଧ୍ୟତାମୂଳକ ତଥା ସାର୍ବଜନୀନ କରିବାର ସର୍ବବିଧ ଉଦ୍ୟମ ଚଲାଇଛନ୍ତି, ତଥାପି ପ୍ରାଥମିକ ଶିକ୍ଷା ପରେ ମାଧ୍ୟମିକ ଶିକ୍ଷା ଓ ଉ‌ଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିବାର ଆଶା ଅନେକଙ୍କ ସ୍ଵପ୍ନରେ ରହିଯାଇଛି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅମ୍ବାଭନା ବ୍ଳକ ଭୁକ୍ତ। ପଞ୍ଚାୟତ ଅଧୀନସ୍ଥ ଝାରପାଲିର ଡ଼ିପାପଡ଼ାରେ । ଏଠାକାର ମନୀଷା ଖଡ଼ିଆ ନାମକ ୧୬ ବର୍ଷ ବୟସର ଆଦୀବାସୀ ଝିଅ ବହୁ କଷ୍ଟରେ ଦ୍ୱାରୀ ହାଇସ୍କୁଲରୁ ମାଟ୍ରିକ ପର୍ୟ୍ୟନ୍ତ ଶିକ୍ଷା ସମାପ୍ତ କରିସାରିଛି । ନା ଅଛି ତାର ମୁଣ୍ଡ ଉପରେ ବାପାଙ୍କ ନିର୍ଭରଯୋଗ୍ୟ ଆଶ୍ରୟ ନା ଅଛି ଆର୍ଥିକ ସମ୍ବଳ । ପେଟକୁ ଦାନା, ଦେହକୁ କନା ନିଅଣ୍ଟ ହେଲା ଭଳି ପରିସ୍ଥିତିରେ ମଧ୍ୟ ନିଜର ଇଚ୍ଛା ଓ ଆଗ୍ରହ ତଥା ପରିଶ୍ରମ ବଳରେ ମାଟ୍ରିକ ପାସ୍ କରିଥିବା ଏହି ଝିଅଟିକୁ କଲେଜରେ ପ୍ରବେଶିକା ଫିଜ୍‌ ଦେଇ ନାମ ଲେଖାଇ ପାରିବା ତା ପକ୍ଷେ ସମ୍ଭବ ହୋଇପାରୁ ନ ଥିଲା । ଗୋଟିଏ ପଟେ ପାଠ ପଢ଼ିବାର ଇଛା, ଅନ୍ୟ ପଟେ ବାଧକ ଦାରିଦ୍ର୍ୟ ଯୋଗୁଁ ପାଠପଢାରୁ ବଞ୍ଚିତ ହୋଇ ରହିଥିଲା । ପରିବାର କହିଲେ ବର୍ତ୍ତମାନ ଦଶମ ଶ୍ରେଣୀ ଯାଉଥିବା ସାନ ଭାଇ ରାଜୁ ଖଡ଼ିଆ ଆଉ ବୟସ୍କା ଜେଜେମା ସୁକାନ୍ତି ଖଡ଼ିଆ । ପିଲାଟି ଦିନରୁ ସାପକାମୁଡାରେ ବାପା ମୁନ୍ଦ ଖଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଘରୁ ଚାଲିଯାଇ ଅନ୍ୟତ୍ର ରହୁଛି । ଜେଜେ ମା’ର ମୁଣ୍ଡ ବେଳେ ବେଳେ ଠିକ୍ ରହୁ ନାହିଁ, ଭାଇ ଭଉଣୀ ମଜୁରୀ କରି ନଗଲେ ଚୁଲି ଜଳେ ନାହିଁ । ଏହି ଶିକ୍ଷାନୁରାଗୀ ଭାଇ ଭଉଣୀଙ୍କ ଅବସ୍ଥା ବିଷୟରେ ଅବଗତ ହେବା ପରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଦ୍ଵାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଲାର ସିଂ ପଟେଲଙ୍କ ସହ କୋଶଲ ଟାଇମର ସଂପାଦକ ସଞ୍ଜୀବ ମହାପାତ୍ର । କାହାରି ଦୃଷ୍ଟି ଆକର୍ଷଣ କରିପାରୁ ନ ଥିବା ଏହି ଭାଇ ଭଉଣୀଙ୍କର ପାଠପଢ଼ାରେ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମାହାତ୍ମା ଗାନ୍ଧୀ ଯୁକ୍ତ ଦୁଇ କଲେଜରେ ଝିଅଟିର ଆଡ଼ମିଶନ କରାଇଛନ୍ତି । ଇଚ୍ଛୁକ ବାଦାନ୍ୟ ବ୍ୟକ୍ତି ଏମାନଙ୍କର ପାଠପଡ଼ା ଖର୍ଚ୍ଚରେ ସହଯୋଗ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.