ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗଣେଶ ପୂଜା ଉପଲକ୍ଷେ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇପଡିଛି । ସହରର ପ୍ରାୟ ସମସ୍ତ ୱାର୍ଡରେ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ଚାଲିଛି । ଚଳିତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଅତି ସୁନ୍ଦର ସାଜସଜ୍ଜା ସହ ଲାଇଟ ଡେକୋରେଶନ ଲୋକଙ୍କ ମନ ମୋହିନେଉଛି । ଯେମିତିକି ୱାର୍ଡ ନମ୍ବର ୧୫ର ଘଣ୍ଟାଶୁଣିପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଅବିକଳ କେଦାରନାଥ ମନ୍ଦିର ସଦୃଶ ପେଣ୍ଡାଲ ନିର୍ମାଣ ହେବା ସହ ଅତି ସୁନ୍ଦର ଲାଇଟରେ ଝଲସୁଛି, ଏହି ପେଣ୍ଡାଲକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।
ସେହିପରି ରେଳ ଷ୍ଟେସନ ନିକଟରେ ୟଙ୍ଗ ମାସ ଗଣେଶ ପୂଜା କମିଟିର ୩୩ ବର୍ଷ ପୂଜା ଉପଲକ୍ଷେ କରାଯାଇଛି ସୁଉଚ୍ଚ ସୁନ୍ଦର ପେଣ୍ଡାଲ, ରେଳଷ୍ଟେସନଠାରୁ ପୂଜା ପେଣ୍ଡାଲ ଯାଏଁ ସୁସଜ୍ଜିତ ଲାଇଟ ଡେକୋରେଶନ, ପୂଜାର୍ଚ୍ଚନା ଦେଖିବାକୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଅନ୍ୟ ପକ୍ଷରେ ସ୍ଵାଧୀନପଡା ପୂଜା ପେଣ୍ଡାଲ, ମେଦିରତା ପେଟ୍ରୋଲ ପମ୍ପ ପଛ ପଟର ଗଣେଶ ପୂଜା ସହ ନୀଳଚକ୍ର ନଗର ଯୁବକ ସଂଘ ପୂଜା କମିଟି ପକ୍ଷରୁ ୩୦ତମ ଗଣେଶ ପୂଜାରେ ଅତି ସୁନ୍ଦର ଭାବରେ ପୂଜାର୍ଚ୍ଚନା କରିବା ସହ ଲୋକଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଚଳିତ ବର୍ଷର ପୂଜାରେ ନିଜ କମିଟିର ଜଣେ ଉଦ୍ୟେଗୀ ସଦସ୍ୟ ସ୍ବର୍ଗତ ହେମନ୍ତ ଚନ୍ଦନକୁ ହରାଇଛି, ତାଙ୍କୁ ମନେ ପକାଇବା ସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ । ନୀଳଚକ୍ର ଯୁବକ ସଂଘ ଗଣେଶ ପୂଜା କମିଟିର ସଦସ୍ୟ ଜିତେନ୍ଦ୍ର ପଣ୍ଡା ପୁଜା ବିଷୟରେ ଆଲୋକପାତ କରିଥିଲେ ।