jayashree

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା- ସାଇ ପ୍ରସାଦ, ସାଇ ପ୍ରକାଶ, ପି.ଏ.ସି.ଏଲ୍‌, ପି.ଆଇ.ସି.ଏଲ୍‌, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍‌ ଲ୍ୟାଣ୍ଡ, ଗ୍ରୀନ୍‌ ରେ, ଫ୍ଲୋରିସ ଇଣ୍ଡିଆ, ଆଇକୋର, ରୋଜଭ୍ୟାଲି, ସାରଦା, ସାହାରା, ଅର୍ଥତତ୍ତ୍ୱ, ସିସୋର, କେ.ଏମ୍‌.ଜି. ଲ୍ୟାଣ୍ଡ ଡେଭେଲେପର୍ସ ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ର ରାଜ୍ୟ ସଭାପତି ଜୟନ୍ତ ଦାଶ, ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଲ, ରାଜ୍ୟ ଉପ-ସଭାପତି ବିଭୂଦତ୍ତ ମିଶ୍ରଙ୍କ ନେତୃତ୍ୱରେ ହଜାର ହଜାର ଜମାକାରୀ କୋଶଳ କଳାମଣ୍ଡଳ ପଡ଼ିଆଠାରୁ ଏକ ଶୋଭାଯାତ୍ରାରେ ବାହାରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ କରିଛନ୍ତି । ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ତହସିଲ୍‌, ଜିଲ୍ଲା ସଦର ମହକୁମା ଏବଂ ରାଜ୍ୟ ରାଜଧାନୀରେ ଜମା ଟଙ୍କାର ପରିପକ୍ୱ ରାଶି ଦାବୀ କରିଥିଲେ ବି ସରକାର ଟଙ୍କା ଫେରସ୍ତରେ ପ୍ରତିଶ୍ରୁତି ଦେଇ ମଧ୍ୟ ଫେରସ୍ତ କରୁନାହାନ୍ତି । ଲକ୍ଷ ଲକ୍ଷ ଜମାକାରୀ ସେମାନଙ୍କ ଜମା ରାଶି ଫେରସ୍ତ ପାଇଁ ସରକାର ବସାଇଥିବା କମିଶନଙ୍କ ନିକଟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ସତ୍ୟପାଠ ଦାଖଲ କରିଥିଲେ । କିନ୍ତୁ ସରକାର ସେହି କମିଶନକୁ ବନ୍ଦ କରିବା ସହ ସତ୍ୟପାଠଗୁଡ଼ିକ ଯାଞ୍ଚ ନ କରି ଦୀର୍ଘ ୩ ବର୍ଷ ହେବ ପକାଇ ରଖି ସେଗୁଡ଼ିକରେ ଉଇ ଖାଇ ଛତୁ ଉଠିଗଲାଣି, ତଥାପି ସରକାରଙ୍କ ନିଦ ଭାଙ୍ଗୁନାହିଁ । ଗୋଲ୍‌ଡେନ୍‌ ଲ୍ୟାଣ୍ଡ ସଂସ୍ଥା ବିରୋଧରେ ଓପିଡା ଆଇନ୍‌ ଅନୁସାରେ ମାନ୍ୟବର ସ୍ୱତନ୍ତ୍ର କୋର୍ଟ ଏହାର ସମ୍ପତ୍ତି ବିକ୍ରୟ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ ଥିଲେ ସର୍ବ ସାଧାରଣଙ୍କୁ ବିଜ୍ଞାପନ ମାଧ୍ୟମରେ ପ୍ରଚାର ନକରି ଇ-ଅକଶନ୍‌ ଓ ଇ-ବିଡିଂ କରି ବଜାର ଦରର ଏକ ଦଶମାଂଶ ଦାମରେ ଅଭାବି ବିକ୍ରୟ କରାଇ ଜମାକାରୀଙ୍କ ଟଙ୍କା ଫେରସ୍ତ ରାସ୍ତା ସଂକୁଚିତ କରାଯାଉଛି ଓ ବିକ୍ରୟ ମୂଲ୍ୟକୁ ସରକାର ନିଜେ ଚଳୁ କରିଛନ୍ତି । ସରକାର ଟଙ୍କା ରଖିଥିଲେ ବି ଫେରସ୍ତ ଦେଉନାହାନ୍ତି । ମାଇକ୍ରୋ ଫାଇନାନ୍ସର ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ମାଲିକ ନିର୍ଦ୍ଦେଶକମାନେ ମାଲିକାନା ହସ୍ତାନ୍ତର କଲେ ବି ପୋଲିସ୍‌, ପ୍ରଶାସନ, ଅର୍ଥନୈତିକ ଅପରାଧ ଶାଖା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ପଦକ୍ଷେପ ନେଲେ ନାହିଁ । ସାହାରା ଗ୍ରୁପ୍‌ ଅଧିନରେ ୨ଟି କମ୍ପାନୀ ଓ ୩ଟି ମଲ୍ଟିଷ୍ଟେଟ୍‌ ସମବାୟ ସଂସ୍ଥା ମାଧ୍ୟମରେ ଓଡ଼ିଶାର ପ୍ରତି ଗ୍ରାମରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ବର୍ଦ୍ଧିତ ସୁଧର ପ୍ରଲୋଭନ ଦେଖାଇ ଜମାଟଙ୍କା ନେଇ ପରିପକ୍ୱ ରାଶି ଫେରସ୍ତ ନଦେଇ, ନୂଆ ନୂଆ ନାମିତ ସ୍କିମ୍‌କୁ ଏହି ପରିପକ୍ୱ ରାଶି ପରିବର୍ତ୍ତନର ବାହାନାରେ ପରିପକ୍ୱ ରାଶି ଫାଙ୍କି ଚାଲିଛି । ସାହାରର ଜମା ଟଙ୍କାର ପରିପକ୍ୱତା ସମୟ ଅତିକ୍ରାନ୍ତ ସତ୍ତେ୍ୱ ଟଙ୍କା ଫେରସ୍ତ ନ ଦେବାରୁ ଜମାକାରୀମାନେ ସାହାରା ଇଣ୍ଡିଆର ବିଭିନ୍ନ ଅଫିସ୍‌ ଏବଂ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟାଳୟରେ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସାହାରା ବିରୁଦ୍ଧରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ, ବଡ୍‌ସ୍‌ କିମ୍ବା ଓପିଡା ଆଇନ୍‌ ଅନୁସାରେ ଜିଲ୍ଲାରେ କୌଣସି ଥାନାରେ ଇତାଲା ମଧ୍ୟ ରଖିଲେ ନାହିଁ । ମାନ୍ୟବର ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିବା ସହ ସାହାରା ଜମକାରୀମାନଙ୍କ ପାଇଁ ସି.ଆର.ସି. ପକ୍ଷରୁ ଯେଭଳି ଜମାକାରୀଙ୍କ କ୍ଲେମ ଆବେଦନ ଗ୍ରହଣ କରିବା ପାଇଁ ଏକ ୱେବ୍‌ ପୋଟାଲ୍‌ ମାଧ୍ୟମରେ କ୍ଲେମ୍‌ ଆବେଦନ ନିଆଯାଉଅଛି, ଠିକ୍‌ ସେହି ପଦ୍ଧତିରେ ପ୍ରତ୍ୟେକ କମ୍ପାନୀ ପାଇଁ କ୍ଲେମ୍‌ ଆବେଦନର ସମ୍ଭାବନା ଅଛି । କିନ୍ତୁ ଓପିଡ଼ା ଆଇନ୍‌ ଓ ବଡସ୍‌ ଆଇନ୍‌ ଭିତ୍ତିରେ ଜମାକାରୀମାନେ ତାଙ୍କ ଜମାରାଶିର ପ୍ରମାଣପତ୍ର ସହ ଜିଲ୍ଲାପାଳଙ୍କଠାରେ କ୍ଲେମ୍‌ ଆବେଦନ କରିପାରିବେ । ଏହି ପୃଷ୍ଠଭୂମିରେ ବଲାଙ୍ଗିର ଜିଲ୍ଲାରେ ଜମାକାରୀମାନେ କ୍ଲେମ୍‌ ଆବେଦନ ଫର୍ମରେ ଜମାକାରୀ ପ୍ରମାଣପତ୍ରର ନକଲ ସହ ମଞ୍ଚ ଜରିଆରେ ଆବେଦନ ପତ୍ର ଦାଖଲ କରିଛନ୍ତି ।

ଏହି ପୃଷ୍ଠଭୂମିରେ ଅସାଧୁ କମ୍ପାନୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଜମାକାରୀଙ୍କ ଭବିଷ୍ୟତ ଅନ୍ଧାର କରିଥିବାରୁ ଅବିଳମ୍ବେ ଏହି ଅସାଧୁ କମ୍ପାନୀମାନଙ୍କର ମାଲିକ, ନିର୍ଦ୍ଦେଶକ, ଆଞ୍ଚଳିକ ମୁଖ୍ୟମାନଙ୍କୁ ଗିରଫ କରି ତାଙ୍କ ବ୍ୟାଙ୍କ ଜମା, ସମ୍ପତ୍ତି ଜବତ କରିବା ସହ ସମ୍ପତ୍ତି ନିଲାମ କରି ଜମାକାରୀଙ୍କୁ ସୁଧ ସହ ଟଙ୍କା ଫେରସ୍ତ କର, ଅନଧିକୃତ ଜମାରାଶି ସଂଗ୍ରହ ମହା ଠକେଇ ତଦନ୍ତ କରୁଥିବା ତଦନ୍ତ କମିଶନ ଚୂଡାନ୍ତ ରିପୋର୍ଟ ଦେବା ଓ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପୂର୍ବରୁ ବନ୍ଦ କରାଯାଇଥିବାରୁ ଅନ୍ୟାନ୍ୟ ସମସ୍ତ ଜମାକାରୀଙ୍କୁ ତହସିଲ୍‌ ଜରିଆରେ ଚିହ୍ନଟ କରି ଜମାଟଙ୍କା ଫେରସ୍ତ ପାଇଁ ଦାବୀ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଜମାକାରୀ ଗଣସତ୍ୟାଗ୍ରହରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ସାହାରା ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢୀ, ବଲାଙ୍ଗିର ଜିଲ୍ଲା ସଭାପତି ଲଳିତଦୀପ୍‌, ସୁଧାଂଶୁ ବେହେରା, ପୃଥ୍ୱୀରାଜସିଂହ ବାଗ୍‌, ମଦନମୋହନ ଡାଙ୍ଗ, ସୁରଥ ଧରୁଆ, ଯୋଗେନ୍ଦ୍ର ବୁଡେ଼କ, ବିପିନ୍ଦ୍ର ପୁଟେଲ୍‌, ଭାଗିରଥି ସାହୁ, ସୁରେଶ ଗଡ଼ତିଆ, ରବିନାରାୟଣ ଭୋଇ, ସଂଜୀବ କୁମାର ପଣ୍ଡା ପ୍ରମୁଖ ଉଦ୍‌ବୋଧନ ଦେଇ ଅତୀତରେ ସରକାରୀ ପୃଷ୍ଠପୋଷକତାରେ ଅସାଧୁ କମ୍ପାନୀମାନେ ଜମାକାରୀଙ୍କୁ ଠକାଇଥିବାର ବେଳେ ଏବେ ସରକାର ଜମାକାରୀଙ୍କ ଅର୍ଥରେ ସୃଷ୍ଟି କମ୍ପାନୀ ସମ୍ପତ୍ତି ନିଲାମ ଅର୍ଥ ହଡ଼ପ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ସାହାରା ୫ ହଜାର କୋଟି ଟଙ୍କା ସାହାରା ଜମାକାରୀଙ୍କୁ ଓ ବାକି ସମସ୍ତ କମ୍ପାନୀର ସମ୍ପତ୍ତି ନିଲାମ ଅର୍ଥ ବାକି ଜମାକାରୀଙ୍କୁ ତହସିଲ୍‌ ମାଧ୍ୟମରେ ଚିହ୍ନଟ ଓ ଯାଞ୍ଚ କରି ଟଙ୍କା ଫେରାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.