ଶିକ୍ଷା ନାଁରେ ଚାଲିଛି ବେପାର : ପ୍ରହସନ ପାଲଟିଛି ଶିକ୍ଷା ଅଧିକାର ଆଇନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଗତ କିଛି ବର୍ଷ ହେଲା କେତେକ ବ୍ୟକ୍ତି ଓ ସଂସ୍ଥା ଶିକ୍ଷା ନାଁରେ ବେପାର କରୁଛନ୍ତି । ଶିକ୍ଷା ନାଁରେ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହେଉଛି । ତଥାପି ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ବ୍ଲକରେ ଅନେକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ, କୌଣସି ଘରୋଇ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାରୀ ସ୍ୱୀକୃତି ପ୍ରମାଣପତ୍ର ବାଧ୍ୟତାମୂଳକ । ପୁଣି ପ୍ରତି ୫ ବର୍ଷରେ ଥରେ ଏହାର ନବୀକରଣ କରିବାର ବ୍ୟବସ୍ଥା ରହିଛି । ଏଥିପାଇଁ ସ୍କୁଲଗୁଡ଼ିକ ସମସ୍ତ ନିର୍ଦ୍ଦେଶାବଳୀ ପୂରଣ କରିବା ବି ଆବଶ୍ୟକ । କିନ୍ତୁ ଦେଓଗାଁ ବ୍ଲକ୍‌ରେ କିଛି ନିର୍ଦ୍ଦିଷ୍ଟ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏହି ସବୁ ନିର୍ଦ୍ଦେଶନାମାର ଉଲ୍ଲଘନ କରୁଛନ୍ତି । ସରକାରୀ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନର ଅଭାବ ଯୋଗୁଁ ଅବିଭାବକମାନେ ମୋଟା ଅଙ୍କର ଟଙ୍କା ଦାଖଲ କରି ଏବେ ବେସରକାରୀ ଶିକ୍ଷାନୁଷ୍ଠାନରେ ନିଜ ନିଜ ପୁଅ, ଝିଅମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ସୁଯୋଗ ନେଉଛନ୍ତି ଏହି ସବୁ ଘରୋଇ ସ୍କୁଲ । ଦେଓଗାଁ ବ୍ଲକରେ ୧୪ଟି ଘରୋଇ ବିଦ୍ୟାଳୟ ଥିବା ବ୍ଲକ ଶିକ୍ଷା କାର୍ୟ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ଉପରଝରରେ ଗୋଟିଏ ମହାବିଦ୍ୟାଳୟ ଥିବାବେଳେ ଲଣ୍ଡାପଥର ଓ ପୁରୁନାପାନିରେ ଉଚ୍ଚ ବିଦ୍ୟାଳୟ, ଦେଓଗାଁ ଓ ଜରାସିଂହାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବନ୍ଧପଡ଼ା, କୁତୁର୍ଲା, ରାମଚନ୍ଦ୍ରପୁର ଓ ବନ୍ଧପଡ଼ାରେ ସମଲେଶ୍ୱରୀ ଶିଶୁ ମନ୍ଦିର, ଜରାସିଂହା, ଚୋରମରା ଓ ସିଲେଟକାନୀରେ ପବ୍ଲିକ ସ୍କୁଲ, ଦେଓଗାଁରେ ଶ୍ରୀଅରବିନ୍ଦ ଓ ମୁରସିଂରେ ଏଲରୋଏ ସ୍କୁଲ ଥିବା ଦର୍ଶାଯାଉଛି । ଉପରୋକ୍ତ ବେସରକାରୀ ଅନୁଷ୍ଠାନ ମଧ୍ୟରୁ ଅନେକ ଅନୁଷ୍ଠାନ ସରକାରୀ ଗାଇଡ୍ଲାଇନ ପାଳନ କରୁ ନଥିବା ଅଭିଯୋଗ ହେଉଛି । ଏ ଅଭିଯୋଗକୁ ଦୃଷ୍ଟିରେ ରଖି ସରକାରୀ ଗାଇଡଲାଇନକୁ ବେଖାତିର ଉଲ୍ଲଘଂନ କରୁଥିବା ସହ ଶିକ୍ଷା ନାଁ ରେ ବେପାର ଚଳାଇଥିବା ଲୋକଙ୍କ ପ୍ରତି ଉଚିତ୍ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି।

Leave A Reply

Your email address will not be published.