jayashree

ବେଆଇନ କାଠ ବୋଝଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ : ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାବାହାଲି ଗ୍ରାମରେ ବଲି ଗଛ ବୋଝେଇ ଟ୍ରାକ୍ଟର ଓଲଟିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ କର୍ଲାବାହାଲି ଗାଁ ନିକଟସ୍ଥ ଗୋଚର ଜମିରୁ କର୍ଲା ଏବଂ ସେନା ଗଛର ବଲି ବୋଝେଇ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ବୟଲସାଗର ଗ୍ରାମର ନୀଳାମ୍ବର ସାହୁଙ୍କ ପାଖକୁ ଯାଉଥିଲା । ଅତ୍ୟନ୍ତ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ବୁଢ଼ୀବାହାଲ ଓ କର୍ଲାବାହାଲି ରାସ୍ତା ମଝିରେ ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ଚାପି ହୋଇଯାଇଥିବାରୁ ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବୟଲସାଗର ଗ୍ରାମର କରୁଣାକର ଛତ୍ରିଆ(୩୬) ଏବଂ ଟ୍ରାକ୍ଟରଟି ତାଙ୍କ ନିଜର ବୋଲି ଜଣାପଡିଛି । ଖବର ପାଇ ଦୁର୍ଘଟଣାସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି ଶବ ସହ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଗାଡ଼ିରେ ମୃତ ବ୍ୟକ୍ତିଙ୍କ ଶବ ବୁହା ହୋଇ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫୫/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଖପ୍ରାଖୋଲ ଥାନା ଏଏସଆଇ ଗୋପାଲ କୃଷ୍ଣ କୁମୁରା ସୂଚନା ଦେଇଛନ୍ତି । ଜଙ୍ଗଲ ଗୋଚର ଜମିରେ ଥିବା ଗଛକୁ ବେଆଇନ ଭାବେ କର୍ଲାବାହାଲି ଗ୍ରାମର ୱାର୍ଡ ସଭ୍ୟା ଶ୍ରୀମତୀ ଶୁକ କୁମ୍ଭାର କିପରି ଭାବେ ବୟଲସାଗର ଗ୍ରାମର ନୀଳାମ୍ବର ସାହୁଙ୍କୁ ବିକ୍ରି କଲେ ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.