ଟ୍ରେନରେ ମହିଳାଙ୍କୁ ଦୁର୍ବ୍ୟବହାର, ସ୍ୱାମୀ ନିଜ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଦୁଇ ଯୁବକଙ୍କୁ କଲେ ବ୍ଲେଡରେ ଆକ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟ୍ରେନରେ ଲୋକ ନିଜକୁ ସୁରକ୍ଷିତ ଭାବି ଦେଶର ବିଭିନ୍ନ ସ୍ଥାନକୁ ଦୂର ଦୂରାନ୍ତର ଯାଏଁ ଯାତାୟାତ କରିଥାନ୍ତି । ରେଳସେବା ଏକ ସୁରକ୍ଷିତ ସେବା ଭାବି ଲୋକେ ରେଳ ଯାତ୍ରାକୁ ସୁରକ୍ଷିତ ମଣନ୍ତି । କିନ୍ତୁ ଟିଟିଲାଗଡରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ଅସାଧୁ ଯୁବକଙ୍କ ଦୌରାତ୍ମ୍ୟ ଯୋଗୁଁ ମହିଳା ଯାତ୍ରୀମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି, ତାହାର ଏକ ଝଲକ ଟିଟିଲାଗଡ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ଚଗଲା ନାଏକ ଓ ତାଙ୍କ ସ୍ତ୍ରୀ ସୁରଟରୁ ଆସିକା ଫେରୁଥିବା ବେଳେ ସେମାନେ ବସିଥିବା ବଗିକୁ କଂଟାବାଂଜିରୁ ଆନ୍ଧ୍ରପ୍ରଦେଶର ଜି. ତ୍ରିନାଥ ଓ ଛତ୍ରପୁରର ବି. ତ୍ରିନାଥ ନାମକ ଦୁଇ ଜଣ ଯୁବକ ଚଢ଼ିଥିଲେ ଏବଂ ଚଗଲା ନାଏକ ଓ ତାଙ୍କ ସ୍ତ୍ରୀଙ୍କୁ ଦୁଇ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିରେ ସ୍ଵାମୀ ଚଗଲା ରାଗି ଯାଇଥିଲେ । ଏପରିକି ସେମାନେ ଚଗଲାଙ୍କ ସ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଏଣୁ ତେଣୁ କହିବା ପରେ ଚଗଲା ଆହୁରି କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କ ସ୍ତ୍ରୀ ‘ଛାଡ ଆମେ ଆମ ଘରକୁ ପଳେଇବା କିଛି କୁହନି’ ବୋଲି କହି ଚଗଲାଙ୍କୁ ଶାନ୍ତ କରୁଥିଲେ ବି କିଛି ସମୟ ପରେ ଆହୁରି ଖରାପ ଭାଷା କହି ପତ୍ନୀଙ୍କୁ ଏଣୁ ତେଣୁ କହିବାରୁ ଚୁପ୍‌ଥିବା ସ୍ୱାମୀ ଦୁଇ ଯୁବକଙ୍କୁ ବାରଣ କରିବା ସତ୍ତ୍ୱେ ସେମାନେ ଝଗଡ଼ା କରିବା ଆରମ୍ଭ କରିଥିଲେ । ଝଗଡା ପରେ ସେମାନେ ଧରିଥିବା ବ୍ଲେଡରେ ଦମ୍ପତିଙ୍କୁ ଆକ୍ରମଣ କରିବା ବେଳେ ସ୍ୱାମୀ ନିଜକୁ ଓ ନିଜ ପତ୍ନୀଙ୍କୁ ରକ୍ଷା କରିବା ନିମନ୍ତେ ପାଲଟା ଆକ୍ରମଣ କରି ଦୁଇ ଯୁବକଙ୍କ ଗଳା କାଟିବା ଘଟଣା ଟିଟିଲାଗଡ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଘଟଣା ବିଷୟରେ ଖବର ପାଇ ରେଳବାଇ ପୋଲିସ ସମସ୍ତଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଘଟଣାର ତଦନ୍ତ ପରେ ସତ୍ୟତା ପଦାକୁ ଆସିବ ବୋଲି କୁହାଯାଇଛି । ସେ ଯାହା ବି ହେଉ ନାରୀକୁ ସମ୍ମାନ ନ ଦେଇ ଦୁର୍ବ୍ୟବହାର କରିବା ଯୋଗୁଁ ସ୍ଵାମୀ ଏଭଳି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.