ଓଡ଼ିଶା ଉପକୂଳରୁ ଏସ୍‌ଏଫ୍‌ଡିଆର୍‌ ଜ୍ଞାନକୌଶଳର ସଫଳ ପରୀକ୍ଷା କଲା ଡିଆର୍‌ଡିଓ

ଭୁବନେଶ୍ୱର, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌’ (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା । ଏହି ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ରହିଥିବା ସବୁ ଜରୁରି ଉପକରଣର ଭରସାଯୋଗ୍ୟ ପରିଚାଳନା ଆଜିର ସଫଳ ପରୀକ୍ଷଣରେ ପ୍ରଦର୍ଶିତ ହୋଇଥିଲା ଏବଂ ମିଶନର ସବୁ ଲକ୍ଷ୍ୟ ହାସଲ କରାଯାଇଥିଲା ।

ଏସଏଫଡିଆର ଆଧାରିତ ପରିଚାଳନା ଶକ୍ତି ଶବ୍ଦ ଠାରୁ ଦ୍ରୁତ ବେଗରେ ଯାଇ ଅଧିକ ଦୂରବର୍ତ୍ତୀ ସ୍ଥାନରେ ଥିବା ବିପଦକୁ ଧ୍ବଂସ କରିବା ଲାଗି ଏକ କ୍ଷେପଣାସ୍ତ୍ରକୁ ସକ୍ଷମ କରିଥାଏ । ଆଇଟିଆର ପକ୍ଷରୁ ନିୟୋଜିତ ଟେଲିମେଟ୍ରୀ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ଭଳି ସଂଖ୍ୟାଧିକ ଦୂରମାପନ ଉପକରଣ କରଣ ଦ୍ବାରା ସଂଗୃହିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଠିଥିବା ସୁନିଶ୍ଚିତ କରାଯାଇ ପାରିଥିଲା । ହାଇଦ୍ରାବାଦ ଇମାରତସ୍ଥିତ ଗବେଷଣା କେନ୍ଦ୍ର ଏବଂ ପୁଣେସ୍ଥିତ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ ଭଳି ଡିଆରଡିଓର ଅନ୍ୟ ପରୀକ୍ଷାଗାର ସହିତ ମିଶି ହାଇଦ୍ରାବାଦସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ (ଡିଆରଡିଓ) ପରୀକ୍ଷାଗାର ପକ୍ଷରୁ ଏହି ଏସଏଫଡିଆର ଜ୍ଞାନକୌଶଳ ବିକଶିତ କରାଯାଇଛି । ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭକାମନା ଜଣାଇଛନ୍ତି । ଦେଶରେ ଗୁରୁତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶ ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ପ୍ରଣାଳୀର ଡିଜାଇନ, ବିକାଶ ଏବଂ ପରୀକ୍ଷଣରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏସଏଫଡିଆର ଜ୍ଞାନକୌଶଳର ବିକାଶ ଫଳରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ଦୂରଗାମୀ କ୍ଷମତା ବୃଦ୍ଧି କରାଯାଇପାରିବ ।

Leave A Reply

Your email address will not be published.