ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦର ୫୬ତମ ପ୍ରତିଷ୍ଠା ଦିବସ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ପ୍ରାକ୍ତନ ସଭାପତି କବି ହର ମୋହନ ମିଶ୍ର ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ପ୍ରାକ୍ତନ ସଭାପତି ସାହିତ୍ୟିକ ତ୍ରିଲୋଚନ ମଥାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ପ୍ରଦୀପ ପ୍ରଜ୍ୱଳନ କରାଯିବା ସମୟରେ ସଦସ୍ୟ ଜ୍ୟୋତିର୍ମୟ ଆଚାର୍ଯ୍ୟ ବେଦମନ୍ତ୍ର ଉଚ୍ଚାରଣ କରିଥଲେ । ସାଧାରଣ ସଂପାଦକ ମାନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ‘ଇସ୍ପାତ୍ ସାହିତ୍ୟ ସଂସଦର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ସହ ସାଧାରଣ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ସମେତ ରଘୁବର ଧଳ, ପ୍ରଶାନ୍ତ କୁମାର ପତି, ବିଜୟିନୀ ଜେନା, ରଶ୍ମିତ୍ କୁମାର୍ ସାହାଣୀ, ସତ୍ୟବ୍ରତ ଦାସ ପ୍ରମୁଖ ଆଲୋଚ୍ୟ ବିଷୟରେ ଆଲୋକପାତ କରିଥିଲେ । ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ସହ ତିନି ଚାରି ଜଣ ଉଦ୍ୟୋକ୍ତା ମିଶି ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ଆରମ୍ଭ କରିଥିବା ଏହି ସଂସଦ ବର୍ତ୍ତମାନ ମହାଦ୍ରୁମରେ ପରିଣତ ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ବିଶ୍ଵାଳ ପ୍ରତିଷ୍ଠାତା ସଦସ୍ୟ ରଘୁବର ଧଳଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରଲୋକଗତ ସଦସ୍ୟ ସଦସ୍ୟା ମାନଙ୍କ ସ୍ମୃତି ଚାରଣ କରାଯାଇ ସାହିତ୍ୟ ସଂସଦ ପାଇଁ ସେମାନଙ୍କ ଅବଦାନ ବାବଦରେ ଆଲୋଚନା କରାଗଲା । ଯେଉଁ ଲୋକ ପ୍ରତିନିଧି ତଥା ସଦସ୍ୟ ସଦସ୍ୟା ମାନଂକ ଆର୍ଥିକ ଓ ସାଂଗଠନିକ ଅବଦାନ ବଳରେ ଇସ୍ପାତ୍ ସାହିତ୍ୟ ସଂସଦ ବର୍ତ୍ତମାନର ସ୍ତରରେ ପହଞ୍ଚି ପାରିଛି, ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ନିରୁପମା ନାୟକ, ଦୀପ୍ତି ବିଶ୍ୱାଳ, ସବିତା ପରିଡା, ସସ୍ମିତା ପ୍ରଧାନ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଶେଷରେ ପ୍ରତାପ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କବି ଲେଖକ ଯୋଗଦାନ କରିଥିଲେ ।