ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁୁରୀ) : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁ, ଛାତ୍ରଛାତ୍ରୀ ତଥା ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକୁଆ ଭେଙ୍କଟ ରମଣଙ୍କର ଜୀବନୀ, ରମଣ ଏଫେକ୍ଟର ଆବିଷ୍କାର, ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ୟବହାରିତା, ବିଜ୍ଞାନର ଅପକାରିତା ଓ ଉପକାରିତା, ବୈଜ୍ଞାନିକ ପଦ୍ଧତିକୁ ବୁଝି ତାହାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷିକା ଦୀପ୍ତି ମହାନ୍ତ ଭାରତର ବିକାଶ ପାଇଁ ଯୁବଶକ୍ତିର ନେତୃତ୍ଵ ଆବଶ୍ୟକତା ଅଛି ବୋଲି କହିଥିଲେ । ବିଜ୍ଞାନ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଶିକ୍ଷାର୍ଥୀମାନଙ୍କୁ ବାସ୍ତବ ଜୀବନ ସମସ୍ୟାର ସମାଧାନ ପାଇଁ ସକ୍ଷମ କରେଇବାର ଉପାୟ ଓ ଛାତ୍ରଛାତ୍ରୀମାନଙ୍କ ନେତୃତ୍ଵର ବିକାଶ ପାଇଁ ଉପଯୁକ୍ତ ଶିକ୍ଷା, ସୁଯୋଗ ଏବଂ ପରିବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଦର୍ଶାଇଥିଲେ । ଶିକ୍ଷକ ପ୍ରଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ ବିଜ୍ଞାନ କିପରି ଆମ ଦୈନନ୍ଦିନ ଜୀବନ ସହ ସମ୍ପର୍କିତ ତାହା ଉଦାହରଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରିଥିଲେ । ଶିକ୍ଷକ ପ୍ରଶିକ୍ଷିକା ହରପ୍ରିୟା ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସ୍ୱପ୍ନା ହାଁସଦାଃ ପ୍ରଥମ, ତେଜସ୍ମିତା ମହାନ୍ତ ଦ୍ୱିତୀୟ ଏବଂ ତୁଷାର ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦିବସର ଥିମ୍‌କୁ ଭିତ୍ତିକରି ବିଭିନ୍ନ ହାଉସ୍ ଆକର୍ଷଣୀୟ ପୋଷ୍ଟରମାନ ପ୍ରସ୍ତୁତ କରିଥିଲେ ଏବଂ ଏହି ପୋଷ୍ଟର ପ୍ରତିଯୋଗିତାରେ ହାଉସ୍ ନଂ-୧ (ରବୀନ୍ଦ୍ରନାଥ ଟାଗୋର ହାଉସ୍) ପ୍ରଥମ, ହାଉସ୍ ନଂ-୩ (ସାବିତ୍ରୀବାଇ ଫୁଲେ ହାଉସ୍) ଦ୍ୱିତୀୟ ଏବଂ ହାଉସ୍ ନଂ-୬ (ଶ୍ରୀ ଅରବିନ୍ଦ ଘୋଷ ହାଉସ୍) ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Leave A Reply

Your email address will not be published.