ଶହୀଦ ଟୋପେଶ୍ୱର ଭୁଏଙ୍କ ଦ୍ୱିତୀୟ ତିରୋଧାନ ଦିବସ

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ନୂଆଗଡ ଗ୍ରାମର ବୀରପୁତ୍ର ଶହୀଦ ଟୋପେଶ୍ୱର ଭୁଏଙ୍କ ଦ୍ୱିତୀୟ ଶହୀଦ ବାର୍ଷିକୀ ଆଜି ତାଙ୍କର ଜନ୍ମ ମାଟି ନୂଆଗଡ ଗ୍ରାମରେ ପାଳିତ ହୋଇଯାଇଛି । ୨୦୨୧ରେ ଟୋପେଶ୍ୱର ଜମ୍ମୁ ଉଧମପୁରର ରୋଜେରୀଠାରେ ସେନାର ଗାଡି ବିସ୍ପୋରଣରେ ପ୍ରାଣ ହରାଇଥିଲେ । ମା’ ମୂଖୀ ଭୁଏ ଓ ପିତା ଟଙ୍କଧର ଭୁଏଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି ଶହୀଦ ଟୋପେଶ୍ୱର ଭୁଏ । ୧୯୯୦ ମସିହାରେ ନୂଆଗଡ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଟୋପେଶ୍ୱର ଭୁଏ ମାତ୍ର ୧୯ ବର୍ଷ ବୟସରେ ଭାରତୀୟ ସେନା ବହିନୀରେ ଯୋଗଦାନ କରିଥିଲେ । ନିଜ ଯୌବନର ଅତି ମୂଲ୍ୟବାନ ସମୟ ସେ ମାଆ ଭାରତୀର ସେବାରେ ନିୟୋଜିତ କରିବା ସହିତ ୨୧/୦୪/୨୦୨୧ରେ ବିହାର ରେଜିମେଣ୍ଟ ୬୬ଆର ଆରରେ କାର୍ଯ୍ୟରତ ଥିବା ସମୟରେ ମାତ୍ର ୩୧ ବର୍ଷ ବୟସରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଯାଇଥିଲେ ଶହୀଦ ଟୋପେଶ୍ୱର ଭୁଏ । ତାଙ୍କର ବୀରତ୍ୱର ଗାଥାକୁ ମନେ ପକାଇବାକୁ ଯାଇ ନୂଆଗଡ ଗ୍ରାମରେ ଗତ ଦୁଇବର୍ଷ ହେଲା ଟୋପେଶ୍ୱରଙ୍କ ଶହୀଦ ବାର୍ଷିକୀ ପାଳନ କରାଯାଉଛି । ଚଳିତ ବର୍ଷ ଦ୍ୱିତୀୟ ଶହୀଦ ବାର୍ଷିକୀରେ ମୁଖ୍ୟ ଅତିଥି ଭାବରେ ଭଟଲି ବ୍ଲକ ଉନ୍ନୟନ ଅଧିକାରୀ ଜ୍ୟୋସ୍ନାରାଣୀ ଗଡ଼ତିଆ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସେନା କର୍ମଚାରୀ ଯୋଗଦାନ କରି ଗ୍ରାମବାସୀ ତଥା ଛାତ୍ରଛାତ୍ରୀଙ୍କ ଗହଣରେ ଶହୀଦ ଟୋପେଶ୍ୱରଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ । ତେବେ ଶହୀଦ ସଭାରେ ଉପସ୍ଥିତ ଥିବା ଯୁବକମାନଙ୍କ ଶହୀଦ ଯବାନ ଅମର ରହେ ଧ୍ୱନୀରେ କିଛି ସମୟ ପାଇଁ ନୂଆଗଡ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା । ଭଟଲି ବ୍ଲକ ନୂଆଗଡ ଗ୍ରାମରେ ଅନେକ ଯୁବକ ଯୁବତୀ ଭାରତର ବିଭିନ୍ନ ସାମରିକ ବାହିନୀରେ ଯୋଗଦାନ ପୂର୍ବକ ମା’ ଭାରତୀର ସେବାରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.