jayashree

ରାଇରଙ୍ଗପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାରତର କୋଣ ଅନୁକୋଣରେ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ବ୍ଲକ ଏବଂ ମ୍ୟୁନିସିପାଲିଟିରେ ଥିବା ପ୍ରାୟ ୭୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ନଗର ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ସ୍ଥାନୀୟ ପିସିଏମ୍‌ ୟୁପି ସ୍କୁଲରେ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ, ଚିତ୍ରାଙ୍କନ, ଝିଲାପି ରେସ୍, ଚାମଚ ଗୋଲି ବାଲାନ୍ସ ଖେଳ, ଗୀତନାଚ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚୟନ ସହିତ ଅନ୍ୟସମସ୍ତଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଜଜ୍ଞେଶ୍ୱର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ, ଅବସରପ୍ରାପ୍ତ ଏବିଓ ନମିତା ସେଠୀ ଏବଂ ବିଆର୍‌ଟି ମହେଶ ମହାପାତ୍ର ଯୋଗଦେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଉଦ୍ଦେଶ୍ୟ ଓ ଦିଗଦର୍ଶନ ଉପରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ପାଦପଙ୍କଜରେ ପଦୀପ ପ୍ରଜ୍ୱଳନ ହେବା ପରେ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହାପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ ଦେଇ ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.