- ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ
- ପ୍ରତି ଗାଁରେ ଗୋଟେ ଲେଖାଏଁ Response Teamଗଠନ କରାଯିବ
- ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ
- ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଆଜି ଆମ ସହଚର ପାଲଟିଛି । ଆମ ପାଖରେ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଉପକରଣ ସବୁ ରହିଛି । ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ଅବସରରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୧୯୯୯ ମହାବାତ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଯୋଗୁଁ ଯେଉଁ ସବୁ ମୂଲ୍ୟବାନ ଜୀବନହାନୀ ହୋଇଛି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଗତ ସପ୍ତାହରେ ଆମ ରାଜ୍ୟ ବାତ୍ୟା ‘ଦାନା’ର ସମ୍ମୁଖୀନ ହୋଇଥିଲା । ଏହି ବାତ୍ୟାରେ ୧୧ଟି ଜିଲ୍ଲାର ୬୦୦୦ରୁ ଅଧିକ ଗାଁ ଓ ସହରାଞ୍ଚଳ ପ୍ରଭାବିତ ହୋଇଥିଲା । ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍ ୱାର୍କ ଯୋଗୁ ଆମେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ । ନିର୍ଭୁଲ ପ୍ରାକ ସତର୍କ ସୂଚନା ଏବଂ ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ବିପର୍ଯ୍ୟୟ ପ୍ରବଣ ସ୍ଥାନମାନଙ୍କରେ Response Team ନିୟୋଜନକୁ ତ୍ୱରାନ୍ୱିତ କରାଯାଇଥିଲା। ଏନ୍ଡିଆର୍ଏଫ୍, ଓଡିଆର୍ଏଏଫ୍, ଏଫ୍ଆଇଆର୍ଇ, ଫରେଷ୍ଟ ଏବଂ ପୋଲିସର ମୋଟ ୩୮୮ Response Team ନିୟୋଜିତ ହୋଇଥିଲେ । ଆମର ଲକ୍ଷ୍ୟ ଥିଲା ‘ଶୂନ୍ୟ ଜୀବନହାନୀ’ । ଏହି ବାତ୍ୟାରେ ଆମେ ଆମର ଲକ୍ଷ୍ୟ ହାସଲ କରିଛୁ । ବିଗତ ୨୫ ବର୍ଷରେ ଓଡିଶା ବହୁ ବାତ୍ୟାର ସମ୍ମୁଖୀନ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ବନ୍ଦ କରିପାରିବା ନାହିଁ । ଆମେ କ୍ଷୟକ୍ଷତିକୁ କମେଇ ପାରିବା ଓ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଏସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଆମକୁ ବହୁତ ଶିକ୍ଷା ମିଳିଛି । ନୂଆ କାମ କରିବା ପାଇଁ ନୂଆ ଚିନ୍ତାଧାରା ମିଳିଛି । ଆଗକୁ ପ୍ରତି ଗାଁରେ ଗୋଟେ ଲେଖାଏଁ Response Team ଗଠନ କରାଯିବ । ରାଜ୍ୟରେ ଥିବା ୮୪୪ଟି ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚାକୁ ପରିବର୍ତ୍ତନ କରାଯିବ । ଏହାକୁ ସ୍କୁଲ ତଥା ଆଶ୍ରୟସ୍ଥଳୀରେ ପରିଣତ କରାଯିବ । ରାଜ୍ୟରେ ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ । ରାଜ୍ୟର ସମୁଦ୍ରତଟବର୍ତ୍ତୀ ୪୮୦ କିଲୋମିଟର ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ହେନ୍ତାଳବନ ସୃଷ୍ଟି କରାଯିବ । ରାଜ୍ୟରେ ଥିବା ୨୦ଟି ଓଡିଆର୍ଏଏଫକୁ ବୃଦ୍ଧି କରାଯାଇ ୩୦ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଏସ୍ଡିଏମ୍ଏର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସୁରେଶ ପୂଜାରୀ କହିଥିଲେ ଯେ, ୧୯୯୯ ମହାବାତ୍ୟାର ଆଜି ୨୫ ବର୍ଷ ପୁରିଲା । ୧୯୯୯ ବାତ୍ୟାର କ୍ରୁରତା ଦେଖିଲା ପରେ ଆମ ଆଖି ଫିଟିଲା । ପୂର୍ବରୁ ସରକାର ନିଜର ପ୍ରଶାସନିକ ଦକ୍ଷତା, ଅନୁଭୂତି ଓ ଅନୁଭବ ବଳରେ ବିପର୍ଯ୍ୟୟକୁ ମୁକାବିଲା କରୁଥିଲେ । ଆଜି କେବଳ ସରକାର ନୁହେଁ, ପରିସ୍ଥିତିର ମୁକାବିଲା କରିବା ପାଇଁ ଜନସାଧାରଣ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନ ଆଗେଇ ଆସୁଛନ୍ତି । ଶ୍ରୀ ପୂଜାରୀ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆସନ୍ତୁ ସମାଜକୁ ଶକ୍ତିଶାଳୀ କରିବା, ବ୍ୟବସ୍ଥାକୁ ମଜବୁତ କରିବା, ଯେତେ ଶକ୍ତିଶାଳୀ ବିପର୍ଯ୍ୟୟ ଆସୁ ତାକୁ ପରାସ୍ତ କରିବା । ଅନ୍ୟତମ ଅତିଥି ଭାବେ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦୃଷ୍ଟାନ୍ତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ‘ଦାନା’ର ସଫଳ ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ବିଭିନ୍ନ ବର୍ଗର ୧୪୨ ଜଣଙ୍କୁ ମାନପତ୍ର ଓ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆୟୋଜିତ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଏସ୍ଡିଏମ୍ଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଧନ୍ୟବାଦ ଦେଇଥିଲେ ।