ସହରରେ ମହୁମାଛି ପାଳନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହୁମାଛି ପ୍ରାକୃତିକ ପରିସଂସ୍ଥାରେ ପରାଗରେଣୁ ବହନକାରୀ ଭାବରେ ଗୁରୁତ୍ଵ ବହନ କରନ୍ତି, କିନ୍ତୁ ପ୍ରାକୃତିକ ଜଙ୍ଗଲ ଅପସାରଣ ଓ ପରିବେଶ ପ୍ରଦୂଷଣ ହେତୁ ଅନେକ ସ୍ଥାନରେ ସେମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ପ୍ରକୃତି ବକ୍ଷରେ ଅନେକ ପ୍ରକାରର ମହୁମାଛି ଅଛନ୍ତି, ସେଥି ମଧ୍ୟରୁ କେତେକ ପ୍ରକାରର ମହୁମାଛି ସହରରେ ସହଜରେ ପାଳନ କରି ରଖାଯାଇପାରିବ । ସେମାନେ ସହରର ବଗିଚା କିମ୍ବା ଚାଷଜମିରେ ପରାଗରେଣୁ ବହନ କରି ବିଭିନ୍ନ ଫୁଲର ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମହୁର ଉତ୍ସ ହୋଇ ମହୁ ଯୋଗାନ୍ତି । ‘ସହରରେ ମହୁମାଛି ପାଳନ ଦିବସ’ ହେଉଛି ଏକ ସୁନ୍ଦର ପ୍ରୟାସ । ଏହା ଯେଉଁମାନେ ସହରରେ ମହୁମାଛି ପାଳନ କରନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦେଖାଇବା ପାଇଁ ଉଦ୍ଧିଷ୍ଟ ଅଟେ । ଗବେଷକ ଏବଂ ଐତିହାସିକମାନେ ଦର୍ଶାଇଛନ୍ତି ଯେ, ସହରରେ ମହୁମାଛି ପାଳନ ଅନେକ ଶତାବ୍ଦୀ ଧରି ଚାଲିଆସୁଛି । ବାସ୍ତବରେ, ପ୍ରାଚୀନ ଇଜିପ୍ଟୀୟମାନେ କାଦୁଅରେ ତିଆରି ମହୁ ଫେଣା ବ୍ୟବହାର କରି ନିଜ ସହରରେ ମହୁମାଛି ରଖୁଥିଲେ । ଏବେ ସହରାଞ୍ଚଳରେ ମହୁମାଛି ପାଳନ ନ୍ୟୁୟର୍କ, ଟୋକିଓ, ପ୍ୟାରିସ, ଲଣ୍ଡନରେ ସମେତ ବିଶ୍ଵର କେତେକ ପ୍ରମୁଖ ସହରରେ ବିସ୍ତୃତ ଭାବରେ ଦେଖିବାକୁ ମିଳେ । ଅଣ-ଲାଭକାରୀ ସଂସ୍ଥା ଡେଟ୍ରୋଇଟ୍ ହାଇଭସ୍ ଦ୍ୱାରା ପ୍ରତିଷ୍ଠିତ, ସହରୀ ମହୁମାଛି ଦିବସର ଉଦ୍ଘାଟନୀ ଉତ୍ସବ ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳ ମହୁମାଛି ଏବଂ ସେମାନଙ୍କ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ସଚେତନତା ଏବଂ ଶିକ୍ଷାର ଦିନ ଭାବରେ ପ୍ରତିଷ୍ଠିତ ହୋଇଥିଲା । ମହୁ ଚାଷୀ ମହୁମାଛି ରଖନ୍ତି ଏବଂ ମହୁ ତଥା ଅନ୍ୟାନ୍ୟ ଉତ୍ପାଦ ସଂଗ୍ରହ କରନ୍ତି, ଯଥା ମହୁ ଓ୍ଵାକ୍ସ ବା ମହୁ ସିଠା, ପ୍ରୋପୋଲିସ୍ (ଏକ ପ୍ରକାରର ଅଠାଳିଆ ଦ୍ରବ୍ୟ), ମହୁମାଛି ପରାଗ ରେଣୁ, ଏବଂ ରାଜକୀୟ ଜେଲି । ମହୁମାଛି ଆୟର ଅନ୍ୟ ଉତ୍ସଗୁଡ଼ିକରେ ଫସଲର ପରାଗ ସଙ୍ଗମ, ରାଣୀ ମହୁମାଛି ସଂଗ୍ରହ ଏବଂ ବିକ୍ରୟ ପାଇଁ ପ୍ୟାକେଜ୍ ମହୁ ଉତ୍ପାଦନ ଅନ୍ତର୍ଭୁକ୍ତ । ମହୁମାଛିକୁ ଏକ ସ୍ୱତନ୍ତ୍ର ଭାବରେ ନିର୍ମିତ ଘରାରେ ଗଛିତ ରଖାଯାଏ ଯାହାକୁ ଇଂରାଜୀ ଭାଷାରେ ଆପିଆରୀ କୁହାଯାଏ । ୨୦୨୪ ପାଇଁ ଥିମ୍ ହେଉଛି ‘ମହୁମାଛି ଯୁବକମାନଙ୍କ ସହିତ ଜଡିତ ।’ ଏହି ବିଷୟ ବସ୍ତୁ ମହୁମାଛି ଏବଂ ଏହାକୁ ପରାଗ ରେଣୁ ବହନକାରୀ ଭାବରେ ସଂରକ୍ଷଣ କରିବା ପ୍ରୟାସରେ ଯୁବକମାନଙ୍କୁ ଜଡିତ କରିବାର ଗୁରୁତ୍ୱକୁ ଦର୍ଶାଏ । ‘ଯେଉଁଠାରେ ମହୁମାଛି ଅଛି ସେଠାରେ ଫୁଲ ଅଛି ଏବଂ ଯେଉଁଠାରେ ଫୁଲ ଅଛି ସେଠାରେ ନୂତନ ଜୀବନ ଏବଂ ଭରସା ଅଛି ।

Leave A Reply

Your email address will not be published.