jayashree

ସଇଁତଲା ବ୍ଲକରେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଅସନ୍ତୋଷ

  • ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ସଚେତନତା ଶିବିର
  • ସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନର ପ୍ରତିଶୃତି

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ସଇଁତଲା ସ୍ଥିତ ନୂତନ ସମବାୟ ସମିତି ପ୍ରାଙ୍ଗଣରେ ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ଏକ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଟିଟିଲାଗଡ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଯୋଗଦାନ କରିଥିବା ବେଳେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନୀଳମାଧବ ଆଚାର୍ଯ୍ୟ ଉପସ୍ଥିତ ରହି ଧାନଚାଷୀଙ୍କୁ ସଚେତନ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦରରେ ବିଭିନ୍ନ ପେକ୍ସ ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଏଫ୍‌ଏକ୍ୟୁମାନର ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଚାଷୀଙ୍କୁ ଟୋକନ୍ ପ୍ରଦାନ କରାଯିବାକୁ ଥିବାବେଳେ ଧାନ ସଂଗ୍ରହ ସମ୍ପର୍କରେ ଉପସ୍ଥିତ ଥିବା ଚାଷୀଙ୍କୁ ବିଭିନ୍ନ ଡେମୋ ପ୍ରଦର୍ଶନ କରିଥିଲେ । ଶିବିରରେ ଉପସ୍ଥିତ ଚାଷୀମାନେ ସେମାନେ ଧାନ ବିକ୍ରି ବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ପ୍ରଶାସନ ତରଫରୁ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ୩୦ ପ୍ରତିଶତରୁ ଅଧିକ ଧାନ ଅମଳ କରିସାରି ଅତି କମ୍ ଦରରେ ଅସାଧୁ ବେପାରୀ ଓ ଲାଭଖୋର୍ ଦଲାଲମାନଙ୍କୁ ବିକ୍ରି କରିସାରିଲେଣି ବୋଲି ଅଭିଯୋଗ ହୋଇଥିଲା । ଶହ ଶହ କ୍ଵିଣ୍ଟାଲ ଏହି ଧାନକୁ ଅସାଧୁ ବେପାରୀମାନେ ଏବେ ନିଜର ଘରେ ଓ ଗୋଦାମରେ ଲୁଚାଇ ରଖିଥିବା ବେଳେ ମଣ୍ଡି ଖୋଲିଲେ ବିକ୍ରି କରିବାକୁ ମସୁଧା କରୁଥିବା ଚାଷୀମାନେ ଗୁରୁତର ଅଭିଯୋଗ କରିଥିଲେ । ସରକାର ମଣ୍ଡିଗୁଡ଼ିକରେ ପେକ୍ସ୍ ମାଧ୍ୟମରେ ଧାନ କିଣାଯାଉଥିଲେ ମଧ୍ୟ ମିଲର୍ସ ଓ ତାଙ୍କ ଦଲାଲମାନେ ମଣ୍ଡିକୁ ପହଞ୍ଚି ସେମାନଙ୍କ ମନମାନୀ କରୁଥିବା, କଟନୀଛଟନୀ ପାଇଁ ମୂଲଚାଲ କରୁଥିବା ଭଳି ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ । ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଅଖାବସ୍ତା ଯୋଗାଣ, ଠିକ୍ ସମୟରେ ଧାନ ସଂଗ୍ରହ, ଚାଷୀଙ୍କ ପାସବୁକରେ ଠିକ୍ ସମୟରେ ଉଚିତ୍ ୩୧ ଶହ ଅର୍ଥ ପଇଠ ଭଳି ବିଭିନ୍ନ ଅଭିଯୋଗମାନ ଚାଷୀମାନେ ଅଭିଯୋଗ କରିଥିଲେ । ବ୍ଲକରେ ମଣ୍ଡିଗୁଡ଼ିକ ନଭେମ୍ବର ୧୫ ସୁଦ୍ଧା ଖୋଲିବା କଥା କିନ୍ତୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ବେର୍ଣ୍ଣା, ବାହାଲ ଜମିର ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀନେତା ଉତ୍ତମ ପଟେଲ, ସରୋଜ ପୁରୋହିତ, ବସନ୍ତ ସାହୁ ଅଭିଯୋଗ କରିଥିଲେ । ଚାଶୀ ସଚେତନତା ଶିବିରରେ ବ୍ଲକ କୃଷକ ସଂଗଠନକୁ ମଧ୍ୟ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଉଠିଥିଲା । ଏହି ବ୍ଲକର କୁମ୍ଭାରୀ, ବେଲଗାଁ, ଭଦ୍ରା, ସଇଁତଲାର ସମେତ ଅଧିକାଂଶ ପେକ୍ସରେ ସ୍ଥାୟୀ ଅଫିସ କିମ୍ବା ଗୋଦାମ ଗୃହ ନଥିବା ସମେତ ବହୁ ସଂଖ୍ୟକ କର୍ମଚାରୀ ଅଭାବ ରହିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ସମସ୍ତ ମଣ୍ଡିଗୁଡିକରେ ଉନ୍ନତିକରଣ କରାଯିବା ସହିତ ଚାଷୀଙ୍କ ଧାନ ବିକ୍ରି ସମୟରେ ଚାଷୀଙ୍କ ଅଭିଯୋଗକୁ ଧ୍ୟାନ ଦିଆଯିବ ବୋଲି ଯୋଗାଣ ଅଧିକାରୀ ଶ୍ରୀ ଭୋଇ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ପେକ୍ସ ସଭାପତି ପ୍ରଭାତ ସିଂ ଭୋଇ, ସତ୍ୟ ନାରାୟଣ ପଣ୍ଡା, ଡ଼ିକି କୁଅର, ଲକ୍ଷଶ୍ଵର ସାହୁ, ବିକ୍ରମ ବୁଡ଼େକ, ଚାଷୀ ତୁଳସୀ ପ୍ରସାଦ ସାହୁ, ଲେକୃ ପ୍ରଧାନ, ଜୟରାମ ରଣା, ମିନକେତନ ବାରିକ, ପେକ୍ସ ସମ୍ପାଦକ ଗଣେଶ ଭୋଇ, ରୋହିତ ସାହୁ, ଭରତ ବୁଡ଼େକ, ଜୟଚନ୍ଦ୍ର ରଣା, ରଞ୍ଜନ ବେହେରା, ରୋହିତାଶ୍ଵ ତାଣ୍ଡି, ନୀଲାବତୀ ବର୍ଗି, ସରୋଜ କ୍ଷେତି, ଆଦିତ୍ୟ ଭୋଇଙ୍କ ସମେତ ଧାନର ମାନ ନିରୀକ୍ଷକ ଧର୍ମେନ୍ଦ୍ର ନାଗ, ମାନସ ପ୍ରଧାନ, ଆରଏମସି କର୍ମଚାରୀ ଭୁବନେଶ୍ୱର ସାହୁ ଓ ଯୁବରାଜ ସାହୁଙ୍କ ବହୁ ଚାଷୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.