ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସୁଦ୍ଧା ଚାଷୀଙ୍କଠାରୁ ୧୨,୯୮,୭୭୭.୪୯ କ୍ଵିଣ୍ଟାଲ ଧାନକ୍ରୟ : ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଲକ୍ଷ୍ୟ ଧାର୍ଯ୍ୟ ୨୭,୩୯,୪୦୫.୮୮ କ୍ୱିଣ୍ଟାଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଜିଲ୍ଲାରେ ଧାନ କିଣା ବିକାକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କଠାରୁ ଧାନ କିଣାରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନହେବ ସେଥିପ୍ରତି ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ପରାମର୍ଶ ଦେଇଛନ୍ତି । କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିମଣ୍ଡି ପରିସରରେ ସମସ୍ତ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ୦୬ ଡିସେମ୍ବରରୁ ଡୁଙ୍ଗୁରିପାଲି ଏବଂ ବିନିକା ବ୍ଲକ୍ ଅଞ୍ଚଳରେ ଏବଂ ୧୩ ଡିସେମ୍ବରରୁ ସୋନପୁର, ତରଭା, ବିରମହାରାଜପୁର ଏବଂ ଉଲୁଣ୍ଡା ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି । ଧାନ କ୍ରୟ ନିମନ୍ତେ ୬୨ଟି ପେକ୍ସ ଏବଂ ୩୯ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ କରାଯାଇ, ଜିଲ୍ଲାର ୧୦୭ଟି ଧାନ କ୍ରୟ କେନ୍ଦ୍ରରୁ ଚାଷୀଙ୍କଠାରୁ ଧାନ କିଣାଯାଉଛି । ଜିଲ୍ଲାର ପଞ୍ଜିକରଣ କରିଥିବା ମୋଟ ୬୩୬୨୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୨୨୯୭୯ ଜଣ ପଂଜିକୃତ ଚାଷୀଙ୍କଠାରୁ କ୍ୱିଣ୍ଟାଲ ୧୨,୯୮,୭୭୭.୪୯ କ୍ୱିଣ୍ଟାଲ ଧାନ ବିନା କୌଣସି ସମସ୍ୟାରେ ମଣ୍ଡି ଗୁଡ଼ିକରୁ କିଣା ଯାଇସାରିଛି । ଧାନକ୍ରୟ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୨୭,୩୯,୭୦୫.୮୮ର ଟାର୍ଗେଟ୍ ଦିଆଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୨,୯୮,୭୭୭.୪୯ କ୍ୱିଣ୍ଟାଲ ଧାନ କ୍ରୟ ହାସଲ ହୋଇସାରିଛି ଯାହା ଧନକ୍ରୟ ଲକ୍ଷ୍ୟର ୪୭% ଅଟେ । କେଏମ୍‌ଏସ୍‌ ୨୦୨୧-୨୨ର ଖରିଫରେ ଆଜି ପର୍ଯ୍ୟନ୍ତ ୧୫୭୬୭ଟି ଚାଷୀଙ୍କ ଆକାଉଣ୍ଟରେ ୨୪୮.୧୧୯ କୋଟି ଟଙ୍କା କ୍ରେଡିଟ୍ ହୋଇଛି । ଜିଲ୍ଲା ପ୍ରଶାସନର ମିଳିତ ପ୍ରାୟସରେ ତଥା ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ ପିପିସିରେ ଆର୍‌ଏମ୍‌ସି ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଟାରପାଉଲିନ୍ ଏବଂ ପଲିଥିନ ଯୋଗାଇ ଦିଆଯାଇଛି । ସମ୍ପ୍ରତି ବର୍ଷା ଓ କୁଆପଥର ମାଡ ଯୋଗୁଁ ପିପିସିରେ ଧାନ ଷ୍ଟକ୍ ନଷ୍ଟ ହେବାର କୌଣସି ଖବର ନ ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଧାନ କ୍ରୟ ନିମନ୍ତେ ଆବେଦନ ଅନୁଯାୟୀ ଚାଷୀଙ୍କୁ ପ୍ରାଥମିକତା ପ୍ରଦାନ ସହ ସୁବ୍ୟବସ୍ଥିତ ଭାବେ ବିଧି ବ୍ୟବସ୍ଥାରେ କୃଷକମାନଙ୍କଠାରୁ ଧାନ କିଣାଯାଉଛି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି କ୍ୱିଣ୍ଟାଲ ଧାନ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦/ – ଟଙ୍କା ରହିଥିବା ବିଭଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

13 + 12 =