
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ ନିକଟରେ ବାଇକ୍କୁ ପଛପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ଧକ୍କାଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ୨ ଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫) । ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ସୂଚନା ଅନୁସାରେ କୋଲନରା ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର ବୁଲୁ ଓ ମନୋଜ ନିଜ ବାଇକ୍ରେ ରାୟଗଡ଼ାରୁ ଘରକୁ ଫେରୁଥିବା ସମୟରେ ଗେଟିପଡ଼ା ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ମ୍ୟାକ୍ସ ପିକଅପ୍ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୁଲୁ ଓ ମନୋଜଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ଦାବୀରେ ଲୋକମାନେ ଗେଟିପଡ଼ା ଛକ ନିକଟରେ ରାସ୍ତାରୋକ କରିଥିଲେ । ତେବେ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ଦୁର୍ଘଟଣା ଘଟିବା ପରେ ପିକଅପ୍ ଭ୍ୟାନ ଚାଳକ କର୍ଲାକଣା ଠାରେ ଗାଡ଼ି ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିବା ଜଣାପଡିଛି ।