କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳ କଟକ ମଙ୍ଗଳାବାଗ ସ୍ଥିତ ବାସଭବନରେ ତା ୨୮/୦୨/୨୦୨୫ ରିଖ (ଶୁକ୍ରବାର)ଦିନ ସକାଳ ୯ ଘଟିକାରେ ଦେହତ୍ୟାଗ କରିଛନ୍ତି । ସେ ଓଡ଼ିଶାର ବିଭିନ୍ନ ସମାଜସେବୀ ସଂଗଠନ ଏବଂ କୈବଲ୍ୟ ସାହିତ୍ୟ ସଂସଦର ପୃଷ୍ଠପୋଷକ ଏବଂ ଉପଦେଷ୍ଟା ଭାବେ ୪ ବର୍ଷରୁ ଅଧିକ ସମୟ ଦାୟିତ୍ଵ ନିର୍ବାହ କରିଛନ୍ତି । ସେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଏବଂ ପ୍ରାଧ୍ୟାପକ ଭାବେ ୩୦ ବର୍ଷରୁ ଅଧିକ କାଳ ସମର୍ପିତ ଶିକ୍ଷାଦାନ କରିଛନ୍ତି । ଫକୀରମୋହନ ବିଶ୍ଵବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ୨୦ ବର୍ଷରୁ ଅଧିକ କାଳ ଇତିହାସ ବିଭାଗରେ ଶିକ୍ଷାଦାନ କରିଛନ୍ତି । ତାଙ୍କର ଶତାଧିକ ଛାତ୍ରଛାତ୍ରୀ କେନ୍ଦ୍ର ସରକାର ଏବଂ ରାଜ୍ୟସରକାରଙ୍କ ଅଧୀନରେ ଆଇ.ଏ.ଏସ୍, ଆଇ.ପି.ଏସ୍, ଓ ଏ.ଏସ୍, ଓ.ପି.ଏସ୍, ଓ.ଏଫ୍.ଏସ୍, ରେଲୱେ ଏବଂ ବ୍ୟାଙ୍କ ସେବାରେ ଅବସ୍ଥାପିତ । ସମ୍ପୂର୍ଣ୍ଣ ଜୀବନରେ ସରଳତା ଏବଂ ସାଧୁତାକୁ ପାଥେୟ କରି ସମାଜରେ ପ୍ରେରଣାର ଉତ୍ସ ସାଜିଥିଲେ । ସମାଜ ସଂସ୍କାର, ସାହିତ୍ୟ, ଆଧ୍ୟାତ୍ମିକତା ଏବଂ ମାନବବାଦ ସମ୍ମିଳିତ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ । ଶେଷ ଶଯ୍ୟା ନିକଟରେ ପତ୍ନୀ, ଝିଅ, ଜ୍ୱାଇଁ, ପୁତୁରା, ଝିଆରୀ, ନାତି ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପାଦନ କରିଥିଲେ । ଶିକ୍ଷାର ବିକାଶ ପାଇଁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ପରିବାର ବର୍ଗ ପ୍ରତିଶ୍ରୁତିବଦ୍ଧ । ରେଭେନ୍ସା ବିଶ୍ଵବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Prev Post