ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ ଉପତ୍ୟକାର ପର୍ବତ ଶୀର୍ଷଦେଶରେ ଅବସ୍ଥାନ କରିଛନ୍ତି, ମା’ରାମଚଣ୍ଡୀ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀଙ୍କ ଠାରେ ୧୬ ଦିନ ବ୍ୟାପି ଶାରଦୀୟ ଦୁର୍ଗାପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ଦୈନିକ ପୀଠଧିଶ ଦେବୀଙ୍କ ବେଶ ଓ ଅବତାର ଧାରଣ ହୁଏ । ସନ୍ଧ୍ୟାରେ ଦେବୀଙ୍କ ଷୋଡ଼ଶ ଉପଚାରରେ ମନ୍ତ୍ରପାଠ ମଧ୍ୟରେ ସମାହିତ ହେଇ ଆସୁଛି । ଶନିବାର ସନ୍ଧ୍ୟାରେ ଦେବୀ ଶିବା ତ୍ରି-ନୟନା ରୂପରେ ଜାଜୁଲ୍ୟାମାନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତଜନ ଆତ୍ମ ବିଭୋର ହୋଇ ଖୁସିବ୍ୟକ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ଏବଂ ବ୍ରହ୍ମପୁର ଠାରୁ ୩୦ କିମି ଦୂରରେ ରାମଚଣ୍ଡୀ ମନ୍ଦିର ପର୍ବତ ଶୀର୍ଷରେ ଅବସ୍ଥିତ । ଯାହାକି, ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ରେ ବିଦ୍ୟମାନ କରିଥିବା ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀ ଶକ୍ତି ସ୍ୱରୁପିଣୀ ଦେବୀ ଏକ ନିଆରା ପ୍ରଖ୍ୟାତ ପୁରାଣ ଓ କିମ୍ବଦନ୍ତୀ ପ୍ରସିଦ୍ଧ ଅଟେ । ଏଠାରେ ୧୬ ଦିନ ବ୍ୟାପି ଶାରଦୀୟ ଦୁର୍ଗାପୂଜାର ପ୍ରଚଳନ ଅଛି । ଗତ ସେପ୍ଟେମ୍ବର ୨୪ ତାରିଖ ମୂଳାଷ୍ଟମୀ ଠାରୁ ଷୋହଳ ପୂଜା ପାର୍ବଣ ଆରମ୍ଭ ହୋଇଛି । ଚଳିତ ବର୍ଷ ଉତ୍କଳୀୟ ପଞ୍ଜିକା ଅନୁସାରେ ଶ୍ରୀମନ୍ଦିରରେ ବିମଳା ଦେବୀଙ୍କ ପୀଠରେ ମହାଷ୍ଟମୀ ପୂଜା ସମ୍ପାଦିତ ହେଉଥିବା ବେଳେ ଏହି କ୍ରମେ ମା’ରାମଚଣ୍ଡୀ ପୀଠରେ ଚଳିତ ଅକ୍ଟୋବର ୧୦ ତାରିଖରେ ମହାଷ୍ଟମୀ ପୂଜା ସମ୍ପାଦିତ ହେଉଥିବା ବିଷୟରେ ପୂଜା କମିଟିର ଉଦ୍ୟକ୍ତା କମଲ କୁମାର୍ ପଣ୍ଡା କହିଛନ୍ତି । ଏଠାରେ ୧୬ ଦିନ ବ୍ୟାପି ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜା ଅବସରରେ ଦୈନିକ ପୂର୍ବାହ୍ନ ୯ଟା ଠାରୁ ୧୦ଟା ମଧ୍ୟରେ ବେଦ ବିଦ୍ୟାର୍ଥୀଙ୍କ ଦ୍ୱାରା ବେଦପାଠ, ବେଦମନ୍ତ୍ର ଉଚ୍ଚାରୀତ ହେଉଥିବା ବେଳେ ପୁନଃଶ୍ଚ ସନ୍ଧ୍ୟା ୫ଟା ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ ବେଦ ବିଦ୍ୟାର୍ଥୀଙ୍କ ଦ୍ୱାରା ବେଦପାଠ, ବେଦମନ୍ତ୍ର ଉଚ୍ଚାରୀତ ହୋଇଆସୁଛି । ସନ୍ଧ୍ୟା ଆରତୀ ବେଳେ ଦେବୀଙ୍କ ଠାରେ ବେଦମନ୍ତ୍ର, ଉଚ୍ଚାରଣ ହେବା ସାଂଗକୁ ଦୈନିକ ନୀତିକ୍ରାନ୍ତି ସାଂଗକୁ ଚଣ୍ଡୀପାଠ, ହୋମ୍, ଯଜ୍ଞ, ମନ୍ତ୍ରପାଠ ଆଦି ହୋଇଆସି ବିଳମ୍ବିତ ମଧ୍ୟରାତ୍ରୀରେ ଦେବୀଙ୍କ ଠାରେ ଅନ୍ନ ଭୋଗ ଅର୍ପଣ ଲାଗି ହୋଇଥାଏ । ଦୈନିକ ଠାକୁରାଣୀଙ୍କ ସ୍ଵତନ୍ତ୍ର ବେଶ ଧାରଣ, ମନ୍ତ୍ରପାଠ, ଯଥାରୀତିରେ ଦେବୀଙ୍କ ରୂପ ଓ ନାମରେ ପୂଜା ହୋଇଆସୁଛି । ପହଲି ଦିବସରେ ଦୁର୍ଗା / ନନ୍ଦା ଦେବୀ, ଦ୍ଵିତୀୟ ଦିବସରେ ନାରାୟଣୀ (ଭଦ୍ରା) ତୃତୀୟ ଦିବସେ ଈଶାନୀ ଦେବୀ, ଚତୁର୍ଥ ଦିବସରେ ବିଷ୍ଣୁ ମାୟା ରୂପରେ ତଥା ପଞ୍ଚମୀ ଦିବସେ ଅର୍ଥାତ୍ ଶନିବାର ସନ୍ଧ୍ୟାରେ ଶିବା ତ୍ରିନୟନା ରୂପରେ ଷଷ୍ଠ ଦିବସ (ରବିବାର)ରେ ସତୀ ବେଶରେ ଦେବୀ ମହାମାୟୀ ଦର୍ଶନ ଦେଉଛନ୍ତି । ଦୈନିକ ଷୋଡ଼ଶ ଉପଚାରରେ ଦେବୀଙ୍କୁ ପୂଜା ଆରାଧନା କରାଯାଇ ଆସୁଛି । ଦୈନିକ ଏହି ପବିତ୍ର ତନ୍ତ୍ରପୀଠକୁ ଅବାଳ ବୃଦ୍ଧବନିତା, ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ପୀଠଧୀଶ ଚଣ୍ଡୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ କର-କମଳରେ ଜୀବନନ୍ୟାସ ହୋଇଥିବା କିମ୍ବଦନ୍ତୀ ଅନୁଯାୟୀ ରହିଛି । ବନବାସ ସମୟରେ ଋଷିକୂଲ୍ୟା ଘାଟ ପାର ହୋଇ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଦେବୀ ସୀତା ଓ ଲକ୍ଷ୍ମଣଙ୍କ ସଙ୍ଗରେ ଆସି ଏହି ଧଡ଼ା ପାହାଡ଼ ଉପରେ ଅବସ୍ଥାନ କରିଥିଲେ । କିଛି ଦିନ ଧରି ରହଣୀକାଳରେ ଚଣ୍ଡୀଙ୍କ ରୂପ, ପ୍ରତିମା ଗଢ଼ି ସଂସ୍ଥାପନା କରି ଚଣ୍ଡୀଙ୍କ ଆରାଧନା କରିଥିଲେ, ତାହା କାଳକ୍ରମେ ଏହି ପୀଠର ନାମ ମା’ରାମଚଣ୍ଡୀ ନାମରେ ଖ୍ୟାତ ଅଛି ବୋଲି କୁହାଯାଏ । ଋଷିକୂଲ୍ୟା ନଦୀ ପାର ହୋଇ ଏଠାରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଦକ୍ଷିଣ ଓଡ଼ିଶାର ଦଣ୍ଡକାରଣ୍ୟକୁ ଯାଇଥିବା ରାମାୟଣରେ ଲେଖାଅଛି, ତଦନୁସାରେ ଏହି ପୀଠର ଅବସ୍ଥିତ ଏକ ମୁକ୍ ସାକ୍ଷୀ ହୋଇ ରହିଛି ବୋଲି ବିଶ୍ୱାସ କରାଯାଏ ।