
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ସିନାପାଲି ଅଞ୍ଚଳରୁ ଦିନ ଦ୍ୱିପହରରେ ବସ୍ ଯୋଗେ ଦାଦନ ଚାଲାଣ ଚାଲିଥିବା ଜଣାପଡିଛି । ହେଲେ ଜିଲ୍ଲା ପ୍ରଶାସନ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା ସଚେତନ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ପ୍ରକାଶ ଯେ, ସିନାପାଲିରୁ ସୂଦୁର ଆନ୍ଧ୍ରପ୍ରଦେଶକୁ ସିଧାସଳଖ କିଛି ଏକ୍ସପ୍ରେସ ବସ୍ ଦୈନିକ ଯାତାୟାତ କରୁଛି । ଦାଦନ ଦଲାଲମାନେ ଉକ୍ତ ବସ୍ରେ ଦାଦନ ଚାଲାଣ କରିବାକୁ ସୁବିଧା ହେଉଛି । ଏକ୍ସପ୍ରେସ ବସ୍ ଗୁଡିକ ସିଧାସଳଖ ନବନିର୍ମାଣାଧିନ ବିଜୁ ଫୋରୱେରେ ଯାତାୟାତ କରୁଥିବାରୁ ଦାଦନ ଶ୍ରମିକଙ୍କୁ ବସ୍ ଚଢିବାକୁ ସୁବିଧାଜନକ ହେଉଛି । ଦାଦନ ଦଲାଲମାନେ ବିଭିନ୍ନ ଗ୍ରାମରୁ ଦାଦନ ଶ୍ରମିକ ଯୋଗାଡ଼ କରି ପିକଅପ୍ ଓ ବୋଲେରୋ ମାଧ୍ୟମରେ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ଆଣି ବସ୍ ଯୋଗେ ଦାଦନ ଚାଲାଣ କରୁଛନ୍ତି । ସିନାପାଲିର ମୁଖ୍ୟ ରାସ୍ତା ଉପରେ ସିନାପାଲି ଦେଶୀ ମଦଭାଟି ଛକ, କଲେଜ ଛକ, ସରଧାପୁର ବାବା ମଠ, ଚଲନା ଶିବ ମନ୍ଦିର ଛକ, ଚଚରାଭଟା ଫୋରୱେ ଛକ, ହାତିବନ୍ଧା କେନ୍ଦୁପତ୍ର ଗୋଦାମ, କାପସି ଅନ୍ଧାରି ବରି ପ୍ରଭୁତି ସ୍ଥାନରେ ଦିନ ଦ୍ୱିପହରରେ ଦଲାଲମାନେ ଦାଦନ ଶ୍ରମିକଙ୍କୁ ବସ୍ ଯୋଗେ ଚାଲାଣ କରୁଛନ୍ତି ।
ଅନ୍ୟପକ୍ଷରେ ଟିମନପୁର, ନିଲଜି, ରାଣୀମୁଣ୍ତା, କିରକିଟା, ଗମ୍ଭାରୀଗୁଡା ଛକମାନଙ୍କରେ ଦୈନିକ ଶହ ଶହ ଶ୍ରମିକ ପିକଅପ୍ ଓ ବୋଲେରୋ ସାହାଯ୍ୟରେ ଆସି ବସ୍ ଯୋଗେ ସିଧାସଳଖ ହାଇଦ୍ରାବାଦ ଯାଉଛନ୍ତି । ହେଲେ ଏନେଇ ବିଭିନ୍ନ ମହଲରେ ଅଭିଯୋଗ ସତ୍ୱେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ହାତ ବାନ୍ଧି ବସିଛି । ପ୍ରଶାସନିକ ଅଧିକାରୀମାନଙ୍କୁ ଦଲାଲମାନେ ହାତବାରିସି କରି ବେଫିକରରେ ଦଲାଲମାନେ ଦାଦନ ଚାଲାଣ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ବିଭିନ୍ନ ସମୟରେ ଶହଶହ ଦାଦନ ଶ୍ରମିକଙ୍କୁ ପୋଲିସ ବିଭାଗ ଚଢାଉ କରି ଉଦ୍ଧାର କରିଛି । ହେଲେ ଚଳିତ ବର୍ଷ ମଧ୍ୟ ଠିକ୍ ସେହିଭଳି ବେଆଇନ ଦାଦନ ଚାଲାଣ ଚାଲିଥିବା ବେଲେ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ଏନେଇ ସ୍ଥାନୀୟ ପ୍ରଶାସନର ଅଧିକାରୀ କର୍ମଚାରୀ ସହ ଦାଦନ ଦଲାଲମାନଙ୍କ ସଲାସୁତୁରା ରହୁଛି । ଯାହା ଫଳରେ ଖୁଲମଖୁଲା ବିନା ଭୟରେ ଦଲାଲମାନେ ଦାଦନ ଚାଲାଣ କରୁଛନ୍ତି ବୋଲି ସିନାପାଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏମିତି ଏହି ବସ୍ ଗୁଡିକ କେବଳ ଦାଦନ ଚାଲାଣ ପାଇଁ ହିଁ ଯାତାୟାତ ହେଉଛି ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି । ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ବେଆଇନ ଦାଦନ ଚାଲାଣ ରୋକିବାକୁ ସାଧାରଣରେ ଦାବୀ ହେଉଛି ।