oom

ଟିଟିଲାଗଡ଼ ରୋଡସ୍ଥିତ ସ୍ମାର୍ଟ ଶ୍ମଶାନକୁ ନିୟମିତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଦାବିପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) :ଟିଟିଲାଗଡ଼ ରୋଡସ୍ଥିତ ସ୍ମାର୍ଟ ଶ୍ମଶାନକୁ ନିୟମିତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୌର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ବଲାଙ୍ଗିର-ଟିଟିଲାଗଡ଼ ରୋଡର ଶିଳ୍ପାଞ୍ଚଳ ନିକଟସ୍ଥ ପୁରୁଣା ଶ୍ମଶାନକୁ ନବୀକରଣ କରାଯାଇ ବଲାଙ୍ଗିର ସହରବାସୀଙ୍କ ପାଇଁ ଏକ ସ୍ମାର୍ଟ ଶ୍ମଶାନ ସ୍ଥାପନ କରାଯାଇଥିଲା। ଯେଉଁଠାରେ ଅତ୍ୟାଧୁନିକ ବୈଦ୍ୟୁତିକ ମେସିନ ସାହାଯ୍ୟରେ ଶବ ସତ୍କାର କରାଯାଇ ପାରିଥାନ୍ତା। ଗୋଟିଏ ଶବଦାହ ପାଇଁ ଯେତିକି କାଠ ବ୍ୟବହାର କରା ଯାଇଥାଏ, ଏହି ମେସିନ ସାହାଯ୍ୟରେ କମ କାଠରେ ସତ୍କାର କରାଯାଇ ପାରିଥାନ୍ତା ଏବଂ କେବଳ କାଠ ନୁହେଁ ଅଧା ସମୟ ମଧ୍ୟ ହ୍ରାସ ପାଇ ପାରିଥାନ୍ତା । ଏହା ସହ ବାୟୁଜନିତ ପ୍ରଦୂଷଣକୁ ବି ରୋକା ଯାଇ ପାରିଥାନ୍ତା । ହେଲେ ବାସ୍ତବରେ ବଲାଙ୍ଗିର ପୌରପରିଷଦ ଦ୍ୱାରା ଉଦ୍‌ଘାଟିତ ହୋଇ ପାଖାପାଖି ଏକ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅପରେଟର ନିଯୁକ୍ତି ଅଭାବରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନଥିଲା । ଫଳରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏ ସଂକ୍ରାନ୍ତରେ ଗତ ଜୁନ ମାସରେ ପୌର ନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ ଜଣେ ଅପରେଟରଙ୍କୁ ସାତ ଦିନିଆ ତାଲିମ ପ୍ରଦାନ କରାଯାଇ ପୌର ପ୍ରଶାସନ ତରଫରୁ ନିଯୁକ୍ତି ଦିଆଯାଇଥିଲା । ହେଲେ ସଚେତନତା ଅଭାବରୁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ମାର୍ଟ ଶ୍ମଶାନଟି ବ୍ୟବହାର ଯୋଗ୍ୟ ହୋଇ ନ ପାରି ଜନସାଧାରଣଙ୍କ ସେବାରେ ଆସି ପାରୁନାହିଁ । ଜନସେବା କାର୍ଯ୍ୟରେ ଏହିପରି ଅବହେଳା କରାଯିବା ଏକ ଚିନ୍ତାର ବିଷୟ । ଲୋକଙ୍କୁ ସଚେତନ କରାଯାଇ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ଏମ୍.ଡି. ବବଲୁ, ରବୀନ୍ଦ୍ର ପ୍ରଧାନ, ସୁବାଷ ବାଗ, ସୁମିତ ମିଶ୍ର, ଶ୍ଵେତା ସାହୁ, ଅନିତା ମିଶ୍ର, ଚିନ୍ମୟୀ ବୀର ପ୍ରମୁଖ ପୌର ନିର୍ବାହୀ ଅଧିକାରୀ ବିଶ୍ଵମ୍ଭର ମିଶ୍ରଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ ଜଣାଇଥିଲେ ଯେ ଅତିଶୀଘ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇ ପୌର ପ୍ରଶାସନ ଓ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଭାବରେ ସ୍ମାର୍ଟ ଶ୍ମଶାନଠାରେ ହିଁ ସମ୍ବନ୍ଧିତ ଅଧିକାରୀମାନଙ୍କ ସହ ଏକ ଆଲୋଚନା କରି କିପରି ଏ ଦିଗରେ ଲୋକଙ୍କୁ ସଚେତନ କରାଯାଇ ପାରିବ ଏବଂ ନିୟମିତ ଭାବରେ ସ୍ମାର୍ଟ ଶ୍ମଶାନକୁ କାର୍ଯ୍ୟକ୍ଷମ କରାଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

jittmm
Leave A Reply

Your email address will not be published.