ରାଉରକେଲା ବିକାଶ ମଞ୍ଚ ୮ ଦଫା ଦାବୀ ନେଇ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବିଶ୍ରା ଛକଠାରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ୮ ଦଫା ଦାବୀ ନେଇ ଆୟୋଜିତ ସଚେତନତା ସମାବେଶରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ, ସାମାଜିକ, ସାହିତ୍ୟ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଗଣ ଓ ଜନସାଧାରଣ ଏକତ୍ର ହୋଇ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୁହିକ ବିକାଶ ପାଇଁ ଦାବୀ କରି ଐକ୍ୟବଦ୍ଧତାର ପରିଚୟ ପ୍ରଦାନ କରିଛନ୍ତି । ୮ ଦଫା ଦାବୀ ଗୁଡିକ ହେଲା
ବିଜୁ ବାବୁଙ୍କୁ ଭାରତ ରତ୍ନ :
କୋଟି କୋଟି ଓଡିଶାବାସୀଙ୍କ ପ୍ରିୟ ନେତା, ଝଡ଼ର ଇଗଲ, ଧରଣୀର କୃଷ୍ଣସାର, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନେତା, ସ୍ବାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ “ଭାରତରତ୍ନ” ସମ୍ମାନ ପ୍ରଦାନ ପାଇଁ ବର୍ଷ ବର୍ଷରୁ ଦାବୀ ହୋଇଆସୁଛି । ଏହାକୁ ଅବିଳମ୍ବେ ପୂରଣ କରାଯାଇ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବା ଆବଶ୍ୟକ ।
ବିସ୍ଥାପିତ ସମସ୍ୟା : ରାଉରକେଲା ଇସ୍ପାତ କାରଖାନା, ରେଳବାଇ ମାର୍ଶଲିଂ ୟାର୍ଡ, ମନ୍ଦିରା ଡ୍ୟାମ ଇତ୍ୟାଦି ପ୍ରକଳ୍ପ ସକାଶେ ନିଜର ଭିଟାମାଟିକୁ ଉତ୍ସର୍ଗୀକୃତ କରିଥିବା ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଏବଂ ଅଧିବାସୀଙ୍କର ସମସ୍ତ ନ୍ୟାର୍ଯ୍ୟ ସମସ୍ୟାର ସମାଧାନ କରାଯିବା ଆମର ଦାବୀ ।
ମେଡିକାଲ କଲେଜ ଓ ସୁପର ସ୍ପେସାଲିଟି ହସପିଟାଲ : ରାଉରକେଲାରେ ଏକ ଉନ୍ନତ ମାନର ସରକାରୀ ମେଡିକାଲ କଲେଜ ଓ ସୁପର ସ୍ପେସାଲିଟି ହସପିଟାଲ କରାଯିବାକୁ ଜନସାଧାରଣଙ୍କ ଦାବୀ ରହିଥିଲା । ପ୍ରଧାନମନ୍ତ୍ରୀ ଏହି ଦାବୀ ପୂରଣ କରାଯିବା ତଥା ଏହାକୁ ଆଇଜିଏଚ୍‌ରେ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ପ୍ରକଳ୍ପ ଏଯାଏଁ ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ । ତେଣୁ ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସପିଟାଲରେ ପରିଣତ କରାଯିବାକୁ ଉପଯୁକ୍ତ ଧ୍ୟାନ ଦିଆଯିବା ଦରକାର ।
ପୁରୁଣାପାଣି ସିମେଣ୍ଟ କାରଖାନା :
ରାଉରକେଲା ଇସ୍ପାତ କାରଖାନାରୁ ବାହାରୁଥିବା ସ୍ଲାଗ୍ ଏବଂ ପୁରୁଣାପାଣି ଅଞ୍ଚଳରେ ଚୂନପଥର ଖଣିକୁ ଦୃଷ୍ଟିରେ ରଖାଯାଇ ପୁରୁଣାପାଣି ଠାରେ ଏକ ସିମେଣ୍ଟ କାରଖାନାର ପରିକଳ୍ପନା କରାଯାଇଥିଲା । ଏହା ସଫଳ ହେବା ସହ ଜିଲ୍ଲାର ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ ବୋଲି ବିଶ୍ୱାସ ରହିଛି । ହେଲେ ଏହି ପ୍ରକଳ୍ପ ସକାଶେ ସେଲ୍ ପକ୍ଷରୁ ତଥା କୌଣସି ସରକାରୀ ସ୍ତରରୁ ଆଗ୍ରହ ଆସୁନଥିବାରୁ ଏହାକୁ ତୁରନ୍ତ ସାକାର କରାଯିବାକୁ ଆମେ ଦାବୀ କରୁଛୁ ।
ରାଉରକେଲାରେ ରେଳ ଡିଭିଜନ :
ରାଉରକେଲା ଓ ଆଖପାଖ ଅଞ୍ଚଳରୁ ରେଳବାଇ ବିପୁଳ ରାଜସ୍ୱ ପାଉଛି । ହେଲେ ଏହି ଅଂଚଳରେ ରେଳ ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ । ଏଠାରେ ଏକ ରେଳ ଡିଭିଜନ ସକାଶେ ସମସ୍ତ ଭିତ୍ତିଭୂମି ଉପଲବ୍ଧ ଥିବା ଏବଂ ଏହି ଦାବୀ ଯଥାର୍ଥ ବୋଲି ସମସ୍ତ ସ୍ତରରେ ହୃଦୟଙ୍ଗମ କରାଯାଇଥିଲେ ମଧ୍ୟ ଏଯାଏଁ ଏହା କରାଯାଉନାହିଁ । ରାଉରକେଲାବାସୀ କେବଳ ପ୍ରତିଶ୍ରୁତି ପାଇ ଚାଲିଛନ୍ତି । ତେଣୁ ଏଠାରେ ରେଳ ଡିଭିଜନ ହେବା ଦରକାର ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା :
୨୦୧୩ ମସିହାରେ ଆରମ୍ଭ ହୋଇଥିବା ରାଜୀବ ଆବାସ ଯୋଜନା ଯାହା କାଳକ୍ରମେ ପ୍ରଧାନମନ୍ତ୍ରୀ ଆବାସରେ ପରିଣତ ହେଲା ଏହି ଯୋଜନାରେ ସ୍ପଷ୍ଟ ରହିଛି, ରାଜ୍ୟ ଓ କେନ୍ଦ୍ର ସରକାରୀ ସଂସ୍ଥା ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ଏହି ଯୋଜନାରେ ଲୋକଙ୍କୁ ସହାୟତା ଦେବାକଥା । ଏହିକ୍ରମରେ ଏଠାରେ ରାଉରକେଲା ଇସ୍ପାତ କାରଖାନା ଏବଂ ରେଳବାଇ ମଧ୍ୟ ଯୋଜନା କାର୍ଯ୍ୟକାରୀ କରିବା କଥା । ମାତ୍ର ବିଡ଼ମ୍ବନା, ଏଠାରେ ତଦନୁଯାୟୀ କିଛି ହେଉନାହିଁ । ସବୁବେଳେ କେବଳ ପ୍ରତିଶ୍ରୁତି ଦିଆଚାଲିଛି । ରାଉରକେଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ବାସହୀନ ଗରିବ ଲୋକଙ୍କୁ ଏଥିରେ ଉପକୃତ କରାଯିବା ସପକ୍ଷରେ ମଞ୍ଚ ପକ୍ଷରୁ ଦାବୀ କରାଯାଉଛି ।
ବିପିୟୁଟିକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ :
ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ (ବିପିୟୁଟି)ର ପ୍ରତିଷ୍ଠା କାଳରେ ମୁଖ୍ୟମନ୍ତ୍ରୀ ଯେପରି ରାଷ୍ଟ୍ରପତି ଡ଼କ୍ଟର ଅବଦୁଲ କଲାମଙ୍କୁ ଆଣି ଘୋଷଣା କରାଇଥିଲେ, ସେହି ଅନୁସାରେ ବିପିୟୁଟିକୁ ଏକ ଜାତୀୟ ସ୍ତରର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାକୁ ସକଳ ସ୍ତରରେ ଉଦ୍ୟମ ଆମର ଦାବୀ ।
ରାଉରକେଲାରେ ବିମାନ ବନ୍ଦର :
ରାଉରକେଲାରେ ବିମାନ ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତି ପାଇଁ ବର୍ଷ ବର୍ଷରୁ ଦାବୀ ହୋଇ ଆସୁଛି । ଏ ନେଇ ଉଚ୍ଚ ସ୍ତରରୁ ପ୍ରତିଶ୍ରୁତି ମିଳିଛି । ଫଳରେ ଏହା ପୂରଣ କରାଯିବା ନେଇ ଆଶା ସଂଚାର ହୋଇଥିଲା । ମାତ୍ର ଏଠାରେ ବିଶ୍ୱକପ ହକି ଆୟୋଜନ ହେଉଥିବା ସତ୍ତ୍ବେ ବିମାନ ବନ୍ଦରର ପ୍ରକଳ୍ପକୁ ଉପଯୁକ୍ତ ମାନ୍ୟତା ମିଳୁନାହିଁ । ୪ସି ବର୍ଗର ଲାଇସେନ୍ସ ଦେଉ ନାହାନ୍ତି । ଏହା ଉଦ୍‌ବେଗର ବିଷୟ ।

ଏହି ସମାବେଶକୁ ଆନନ୍ଦ ଚନ୍ଦ୍ର ମହାନ୍ତି ସଂଯୋଜନା କରିଥିଲା ବେଳେ ସର୍ବଶ୍ରୀ ସାରଦା ପ୍ରସାଦ ନାୟକ, ପି ପି ରାୟ, ଅମୂଲ୍ୟ ଚରଣ ବରାଳ, ଅଭୟ କୁମାର ଦାସ, ସୁରେଶ ମାଝି, ଡଃ ସମର ମୁଦାଲି, ଆର୍ତ୍ତ ମହାରଣା, ଜୟନ୍ତ ମିଶ୍ର, ପ୍ରଭାତ ମହାପାତ୍ର, ଗୋବିନ୍ଦ ତନ୍ତୀ, ହାଲୁ ମୁଣ୍ଡାରୀ, ସର୍ଦ୍ଦାର ସୁରେନ୍ଦ୍ର ସିଂହ, ଲତିକା ପଟ୍ଟନାୟକ, କୁମାର ବେହେରା, ସୁରେନ୍ଦ୍ର ଦାଶ, ମକୁଲୁ ଏକ୍କା, ବଳଦେବ ସିଂହ, ବିରେନ ସେନାପତି, ଦିଗମ୍ବର ମହାନ୍ତି, ଗଗନ ପଣ୍ଡା, ପ୍ରମୋଦ ସାମଲ, ଅମିତାଭ ଧଳ, ପ୍ରଶାନ୍ତ ସେଠୀ, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଶେଷରେ ସଂଜୀବ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!