ଦୁଇ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ପିଇଓ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଦଫା ଦାବୀ ନେଇ ଶୁକ୍ରବାର ଗଣଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୁଇ ଦଫା ଦାବୀ ପୂରଣ ନ ହେଲେ କଲମ ଛାଡ଼ ଆନ୍ଦୋଳନ କରିବୁ ବୋଲି ପିଇଓମାନେ ପ୍ରଶାସନ ଆଗରେ ଧମକ ଦେଇ ବିକ୍ଷୋଭ କରିଛନ୍ତି । ଏହି ଆନ୍ଦୋଳନ ସାରା ରାଜ୍ୟରେ ସମସ୍ତ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇରୁ ସ୍ନାତକ ଡ଼ିଗ୍ରୀ କରାଯାଉ, କାର୍ଯ୍ୟରତ ପିଇଓଙ୍କ ଗ୍ରେଡ-ପେ ୫ ଲେଭେଲରୁ ୯କୁ ବୃଦ୍ଧି କରି ଦରମା ପ୍ରଦାନ କରାଯିବା ୧୦ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟରତ ପିଇଓଙ୍କ ନିଯୁକ୍ତିରେ ପଦୋନ୍ନତି ପ୍ରଦାନ କରାଯିବା, ଜିଡିପିଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ସାଂଗକୁ ପ୍ରତ୍ୟେକ ବରିଷ୍ଠ ପିଇଓଙ୍କ ଓପିଆରଏସ୍‌ କେଡ଼େର ନିୟମରେ ଅନ୍ତର୍ଭୁକ୍ତ କରାଯାଇ ସେହି ଅନୁଯାୟୀ ଦରମା ବର୍ଦ୍ଧିତ କରାଯିବ ନିମନ୍ତେ ଦାବୀ କରିଛନ୍ତି । ପିଇଓ ମହାସଙ୍ଘ ଜିଲ୍ଲା ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସହସମ୍ପାଦକ ଅଜୟ ଦୋରା, ଉପସଭାପତି ଉଦ୍ଧବ ସ୍ୱାଇଁ, ସଂଗଠକ ଦୁର୍ଯ୍ୟୋଧନ ସେଠୀ, ମହିଳାନେତ୍ରୀ ତପସ୍ୱିନୀ ରଇତ, ସୁଜାତା ପଟ୍ଟନାୟକ, ସୁରେଖା ବେହେରା, ଲତି କୁମାରୀ ନାୟକ ପ୍ରମୁଖଙ୍କ ନେତ୍ତୃତ୍ୱରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିଆଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ଦିବା ୧୧ଘଣ୍ଟାରୁ ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.