ପ୍ରୋତ୍ସାହନ ଅଭାବରୁ କରୋନା ବିପତ୍ତି ସମୟରେ ବିପନ୍ନ ହେଉଛି କମାରଙ୍କ ଜୀବିକା

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିନ ଥିଲା ଲୋକେ ଘର କରଣା ଲୁହା ସାମଗ୍ରୀ ପାଇଁ କମାର ଶାଳର ହାତ ତିଆରି ଜିନିଷ ଉପରେ ନିର୍ଭର କରୁଥିଲେ । ମାତ୍ର ବର୍ତ୍ତମାନ ବଜାରରେ ଉପଲବ୍ଧ ଶସ୍ତା ସୁନ୍ଦର ଆଧୁନିକ ଶୈଳୀରେ ନିର୍ମିତ ବିଭିନ୍ନ କମ୍ପାନୀର ଲୁହା ଜିନିଷର ବହୁଳତା ପାଖରେ କମାର ଶାଳର ହାତ ଗଢା ସାମଗ୍ରୀ ଆଦର କମିଯାଉଛି । ଫଳରେ ନିଜର କୁଳବେଉସାକୁ ଆଦରି ଜୀବନ ଜୀବିକା ନିର୍ବାହ କରୁଥିବା ଲୁ‌ହା କାରିଗର ତଥା କମାର ସଂପ୍ରଦାୟର ଲୋକେ ଏବେ ହାତ ବାନ୍ଧି ରହିବାକୁ ଏକରକମର ବାଧ୍ୟ ହେଉଛନ୍ତି । ବର୍ତମାନ କରୋନା ବିପତ୍ତି କାଳରେ ସେମାନଙ୍କ ପେଟ ଚାଖଣ୍ଡକ ପାଇଁ ଯେଉଁ କେତେକ କମାର ପରିବାର ଏହି ପାରମ୍ପରିକ କୌଳିକ ବୃତ୍ତିକୁ ଜାବୁଡି ଧରିଛନ୍ତି ସେମାନେ ଦିନ ରାତି ଖଟୁଛନ୍ତି ସତ ହେଲେ ସେହି ରୋଜଗାରରେ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷରେ ବହୁ କଷ୍ଟକର ହେଉଥିବା ଦେଖିବାକୁ ମିଳିଛି । ଲୁହାରେ ବିଭିନ୍ନ ସାମଗ୍ରୀ ତିଆରି କରୁଥିବା କମାରଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । କମାର ଶାଳର ହାଢ ଗଢା ପନକି, ଦାଆ, ଶାବଳ, କଟୁରୀ, ଟାଙ୍ଗିଆ, କୁରାଢି, ତାୱ।, ଚଟୁ, ବାରିସି, ଡୁଆ, କାଠ, ଲଙ୍ଗଲରେ ବ୍ୟବହୃତ ଲୁହାର ଚାହିଦା ଖାଲି ଫିକା ପଡିନି ବରଂ ଇତିହାସ ପାଲଟିଗଲାଣି । ପ୍ରରିଶ୍ରମ ଅନୁସାରେ ସେମାନଙ୍କୁ ପ୍ରାପ୍ୟ ମିଳୁନି । ବର୍ତ୍ତମାନ କରୋନା ବିପତ୍ତି କାଳରେ ସେମାନେ ହାତ ବାନ୍ଧି ରହୁଥିବା ବେଳେ ସରକାରୀ ପ୍ରୋତ୍ସାହନ ବି ନାହିଁ । ଏଣୁ କମାରଙ୍କ କୌଳିକ ବୃତ୍ତି ଏବେ ଲୋପ ପାଇବାକୁ ବସିଲାଣି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜରୀ ଗ୍ରାମର ଦୁର୍ଯ୍ୟୋଧନ ପରାଭୁଏ( ୮୫)ଙ୍କ ଜୀବନ କାହାଣୀରୁ କମାର ଶାଳର ଦୁଃଖ ସ୍ପଷ୍ଟ ବାରି ହୁଏ । ବର୍ତମାନ ଦୁର୍ଯ୍ୟୋଧନଙ୍କ ବାର୍ଦ୍ଧକ୍ୟ ହେତୁ ଆଉ କାମ କରିପାରୁନାହି । ତାଙ୍କ ଏକ ମାତ୍ର ପୁଅ ଲିଙ୍ଗରାଜ ପରାଭୁଏ ( ୪୦)
ନିଜ ସଂପ୍ରଦାୟ ଓ ପୂର୍ବପୁରୁଷ ଏବଂ ନିଜ ବାପା ଚଲାଇଥିବା କୌଳିକ ବୃତ୍ତିକୁ ଆଦରି ନେବାରେ ଶପଥ ନେଲେ । ଅନେକ ଯାନବାହନ ମାଲିକଙ୍କ ପାଖରେ ଥିବା ପୁରୁଣା ଲୁହା ସାମଗ୍ରୀକୁ କଞ୍ଚାମାଲ ରୂପେ ଧାରକରଜରେ କିଣି ବିଭିନ୍ନ ଘରକରଣା ତିଆରି କଲେ । ସେ ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଲା । ଭଲ ଦୁଇପଇସା ରୋଜଗାର ହେଉଥିଲା । ଗତ ବର୍ଷ ଠାରୁ କରୋନା କଟକଣା ସମୟରେ ସଟଡାଉନ, ଲକ୍ ଡାଉନ୍ ହେତୁ କଞ୍ଚାମାଲ (ପୁରୁଣା ଲୁହା ସାମଗ୍ରୀ) ମିଳିପାରିନାହିଁ । ଯାହାଫଳରେ ତାଙ୍କର ରୋଜଗାର କରିବା ଠପ୍ ହୋଇଯାଇଛି । ତାଙ୍‌ଙ୍କ ପରିବାରରେ ବାପା, ଦୁଇ ପୁଅ ଦୁଇ ଝିଅ, ସ୍ତ୍ରୀ, ବିଧବା ଭଉଣୀ ନେଇ ୮ ଜଣ ସଦସ୍ୟ ଅଛନ୍ତି । ଲିଙ୍ଗରାଜ ତାଙ୍କ ପରିବାର ଚଲାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଦାଆ, ଟାଙ୍ଗିଆ, କଟୁରୀ, ଦାଆର ଦାଢ କରିବାକୁ ତାଙ୍କ ପାଖକୁ ଆସୁଛନ୍ତି । ମାତ୍ର ଏହି ରୋଜଗାରରେ ତାଙ୍କର ଗୁଜୁରାଣ ମେଣ୍ଟୁ ପାରୁନାହିଁ । ତାଙ୍କର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ନୂଆ ଯନ୍ତ୍ର ପାତି କିଣିବା ପାଇଁ ସକ୍ଷମ ନୁହନ୍ତି । ଭୁମିହୀନ ଲିଙ୍ଗରାଜ ସରକାରଙ୍କ ଠାରୁ ମିଳିଥିବା ୪ ଡିସିମିଲ ଜମିରେ ଘର କରି ରହୁଛନ୍ତି । ଲିଙ୍ଗରାଜ ଗୋଟିଏ ଓଳି ଅନ୍ୟ ପାଖରେ ଗୋତି ଖଟି ଅନ୍ୟ ଓଳି କମାର ଶାଳରେ ଲୁହା ଜିନିଷର ଦାଢ କରୁଥିଲେ । ସେଥିରୁ ଯାହା ମିଳୁଥିଲା ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ବର୍ତ୍ତମାନ କରୋନା ବିପତ୍ତି କାଳରେ କେହି ତାଙ୍କ ପାଖକୁ ଆସୁନଥିବା ଯୋଗୁଁ ରୋଜଗାର ବନ୍ଦ ହୋଇଯାଇଥିବା ଲିଙ୍ଗରାଜ କହନ୍ତି । ଖାଲି ଲିଙ୍ଗରାଜ ନୁହନ୍ତି ଏପରି ଲୁହା କାମକୁ ନେଇ ରୋଜଗାର କରିବାର ସ୍‌ସ୍ୱପ୍ନ ଦେଖୁଥିବା କମାର ପରିବାରଙ୍କ ରୋଜଗାର ହରାଇଥିବା ହେତୁ ଦୟନୀୟ ଅବସ୍ଥାରେ । ସରକାର ବିଭିନ୍ନ କୁଟୀର ଶିଳ୍ପ ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ କମାରମାନଙ୍କୁ ମଧ୍ୟ ଏହି କରୋନା ବିପତ୍ତି ସମୟରେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

3 × two =