
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଦାନ ବାକ୍ସରୁ ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ବସନ୍ତ ପତିଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟା ଆଳତୀ ପରେ ମନ୍ଦିର କବାଟ ବନ୍ଦକରି ପୂଜକ ତାଙ୍କ ଆବାସରେ ରାତ୍ରି ଯାପନ କରିଥିଲେ ଏବଂ ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ ମନ୍ଦିରକୁ ଆସି ଦେଖିବା ବେଳକୁ କୌଣସି ଦୁର୍ବୃତ୍ତ ମନ୍ଦିରର ପୂର୍ବ ଦ୍ୱାରର ତାଲା ଭାଙ୍ଗି ମନ୍ଦିରରେ ଥିବା ୩ ଗୋଟି ଦାନ ବାକ୍ସକୁ ଉଠାଇନେଇ ଲକ୍ଷ୍ମୀ ମନ୍ଦିର ନିକଟରେ ଦାନ ବାକ୍ସ ଭାଙ୍ଗି ବାକ୍ସରେ ଥିବା ଟଙ୍କା ନେଇଯାଇଥିବା ବେଳେ ୧, ୨ ଓ ୫ ଟଙ୍କାର ମୁଦ୍ରା କେତୋଟି ପଡିଥିବା ଦେଖି ମନ୍ଦିର କମିଟିର ସଭାପତି ସମ୍ପାଦକଙ୍କୁ ଜଣାଇଥିଲେ । ଖବର ପାଇ କମିଟିର ସଦସ୍ୟ ଆସି ଦେଖିବା ପରେ ସିନାପାଲି ଥାନାରେ ଚୋରି ହୋଇଥିବା ନେଇ ଏକ ଅଭିଯୋଗ ପତ୍ର ଦିଆଯାଇଛି । ଏହି ଚୋରି ଅଭିଯୋଗ ପତ୍ରକୁ ଭିତ୍ତି କରି ସିନାପାଲି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କଳାହାଣ୍ଡି ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍କୁ ଜଣାଇ ଏହି ଚୋରି ଘଟଣାର ବିଭିନ୍ନ ଦିଗକୁ ଛାନ୍ଭିନ୍ କରୁଥିବା ଜଣାପଡିଛି । ପ୍ରକାଶ ଥାଉକି, ଦାନ ବାକ୍ସରେ ଆନୁମାନିକ ୧୫୦୦୦ରୁ ୨୦୦୦୦ ଟଙ୍କା ଥିଲା ଏବଂ ଆମ ଅଞ୍ଚଳରେ ଏହି ଘଟଣା ପ୍ରଥମ ବୋଲି ସଂପାଦକ ତୁଳସୀ ରାମ ମେହେର ପ୍ରକାଶ କରିବା ସହିତ ଏହି ଘଟଣାର ଉଚିତ ତଦନ୍ତ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।