
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି । ମନ୍ଦିର ମଧ୍ୟରେ ରହିଥିବା ବଡ଼ ଦାନବାକ୍ସକୁ ଭାଙ୍ଗିଥିବା ବେଳେ ଚୋରମାନେ ଅନ୍ୟ ଏକ ସାନ ଦାନବାକ୍ସକୁ ନେଇ ଯାଇଛନ୍ତି । ଖବର ପାଇ ଆଜି ସକାଳେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ମନ୍ଦିର ପରିସରରେ ଚୋରମାନେ ପକାଇ ଦେଇଥିବା ଭଙ୍ଗା ତାଲା, ପ୍ରଭୁଙ୍କ ପୋଷାକ ଆଦିକୁ ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି । ମନ୍ଦିର ନିକଟରେ ରହିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି । ସେହି ଫୁଟେଜରୁ ଏଥିରେ ୩ ଜଣ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଜଣେ ରାସ୍ତାରେ ବାଇକ୍ରେ ଥିବା ବେଳେ ଅନ୍ୟ ୨ ଜଣ ମନ୍ଦିର ଭିତରକୁ ପଶୁଥିବା ସିସିଟିଭିରେ କଏଦ ହୋଇଛି । ଗତ କିଛିମାସ ହେଲା ଚୋରମାନେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରି ଚୋରି କରୁଥିବା ବେଳେ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି ।