ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ସ୍ଥିତ ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ ଲାଗି ରହିଥିବା ସରକାରୀ ଜମିକୁ ନେଇ ଅନେକ ଦିନରୁ ବାଦ ବିବାଦ ଲାଗି ରହିଛି । ଜୀବର୍ଦ୍ଧନ ପାଇକ ନାମକ ଜନୈକ ବ୍ୟକ୍ତି ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ ପ୍ରବେଶ କରିବାକୁ ଥିବା କଂକ୍ରିଟ ରାସ୍ତାକୁ ତାରବାଡ଼ ଦେଇ ରାସ୍ତା ଅବରୋଧ କରିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଜବରଦଖଲ ଉଚ୍ଛେଦ ପାଇଁ ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ଓ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନ ମାପ କରାଯାଇଥିଲା । ସେଠାକାର କିଛି ଅଂଶ ସରକାରୀ ଜମି ଭାବେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ପ୍ରଶାସନର ଜମି ଚିହ୍ନଟ ପ୍ରକ୍ରିୟାକୁ ନେଇ ଉପସ୍ଥିତ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ମତେ, ଦୀର୍ଘ ଚାରିମାସ ଧରି ଉପରୋକ୍ତ କଂକ୍ରିଟ ରାସ୍ତାକୁ ଅବରୋଧ କରାଯିବା ଫଳରେ ସାଧାରଣ ଲୋକେ ସାପ୍ତାହିକ ବଜାର ତଥା ମନ୍ଦିରକୁ ଯିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ଜମିରେ ରାସ୍ତା ଥିବାବେଳେ ଜଣେ ବ୍ୟକ୍ତି ଏକଚାଟିଆ ଭାବେ ଅବରୋଧ କରି ରଖିଥିଲେ ହେଁ ପ୍ରଶାସନ ତାହାକୁ ଉଚ୍ଛେଦ କରିବାରେ ବିଫଳ ରହିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।
Prev Post