sss
lll

ଚାନ୍ଦଲିପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର

  • “ଆମର ଜଙ୍ଗଲ, ପାହାଡ ଓ ନଦୀର ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମର ସାମାଜ ଓ ସଂସ୍କୃତି ଜଙ୍ଗଲ, ଜମି ଓ ଜଳ ଉପରେ ପର୍ଯ୍ୟବେଶିତ । ଜଙ୍ଗଲରୁ ନେଇ କି ନଦୀକୂଳରେ ମଣିଷ ସଭ୍ୟତାଗୁଡିକ ଗଢିଉଠିଛି । ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏହି ଜଙ୍ଗଲ, ଜମି ଓ ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଆଜି ବିକାଶନାମରେ ଚାଲିଥିବା କଂକ୍ରୀଟ ଜଙ୍ଗଲ ସୃଷ୍ଟି ପରିବେଶ ସହିତ ଆମର ସାମାଜିକ ବ୍ୟବସ୍ଥାକୁ ଧ୍ୱଂଶ କରିଦେଉଛି । ତେଣୁ ଜଙ୍ଗଲ, ପାହାଡ ଓ ନଦୀଗୁଡିକର ସୁରକ୍ଷା କରାଯାଇ ଏହି ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ ବୋଲି ଦେଓଗାଁ ବ୍ଲକ ଦେଷଣ୍ଢ ନିକଟସ୍ଥ ଚାନ୍ଦଲିପାହାଡ ମହୋତ୍ସବ ଅବସରରେ ଅନୁଷ୍ଠିତ “ଚାନ୍ଦଲିପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ” ଆଲୋଚନାଚକ୍ରରେ ଅଲୋଚକଗଣ ମତବ୍ୟକ୍ତ କରିଛନ୍ତି । ଚାନ୍ଦଲିପାହାଡ ମହୋତ୍ସବର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବରେ ଆଦିବାସୀ ସଂସ୍କୃତିଗବେଷକ ରାଜୀବ ସଗରିଆ, ଅଧ୍ୟାପକ ଡଃ. ସଂଜୟକୁମାର ମିଶ୍ର, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ କୁମାର ବହିଦାର ଯୋଗଦେଇଥିଲେ । ଆଲୋଚକ ରାଜୀବ ସଗରିଆ ତାଙ୍କ ବକ୍ତବ୍ୟରେ ପାହାଡମାନଙ୍କର ଚାନ୍ଦଲି ନାମକରଣ ଉପରେ ବକ୍ତବ୍ୟ ରଖିବା ସହିତ ପାହାଡ ଓ ଜଙ୍ଗଲ ହେଉଛି ଆମର ଆଦିସଂସ୍କୃତି ବୋଲି କହିଥିଲେ । ଏହା ସହିତ ପୃଥିବୀର ଯେତେ ଉନ୍ନତ ସଭ୍ୟତା ରହିଛି ତାଠାରୁ ଆମ ଅଞ୍ଚଳର ପୁରାତନ ସଭ୍ୟତା ଖୁବ ଉନ୍ନତ ବୋଲି କହିଥିଲେ । ଆଦିମଣିଷ ଜଙ୍ଗଲରେ ବସବାସ କରି ପ୍ରକୃତିପୂଜା କରୁଥିଲା । ପ୍ରକୃତିରୁ ଖାଦ୍ୟସଂଗ୍ରହ କରି ବଞ୍ଚୁଥିଲା ଓ ସେଥିପାଇଁ ସେହି ପାହାଡ, ପର୍ବତକୁ ପୂଜା କରି ସୁରକ୍ଷା କରୁଥିଲା । ଆଜି ମଧ୍ୟ ପ୍ରକୃତି ଓ ପରିବେଶକୁ ସୁରକ୍ଷା କରିବାକୁ ହେଲେ ସେହି ପାହାଡ ଓ ଜଙ୍ଗଲକୁ ସୁରକ୍ଷା କରିବାକୁ ହେବ । ଚାନ୍ଦଲିପାହାଡ, ଭୀମପାହାଡର ସୁରକ୍ଷା ପାଇଁ ଯେଭଳି ଆଜି ଲୋକ ଅଣ୍ଟା ଭିଡିଛନ୍ତି ଠିକ ସେଭଳି ଅନ୍ୟ ପାହାଡଗୁଡିକୁ ମଧ୍ୟ ସୁରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଡଃ.ସଂଜୟ କୁମାର ମିଶ୍ର ଆଲୋଚନା କରି କହିଲେ ଯେ, ଆଜି ବିକାଶନାମରେ କେବଳ ପରିବେଶକୁ ବିନାଶ କରାଚାଲିଛି । ବିକାଶ ପ୍ରକଲ୍ପ କଥା କହି ପାହାଡମାନଙ୍କୁ ଫଟାଇ ଦିଆଯାଉଛି । ଜଙ୍ଗଲସଫା କରିଦିଆଯାଉଛି । ଯାହାକି ଆମର ଭବିଷ୍ୟତ ପିଢିକୁ ବିପଦ ଆଡକୁ ଟାଣିନେଉଛି । ଆମର ମୂଳସଭ୍ୟତା ପାହାଡ, ଜଙ୍ଗଲ ଓ ନଦୀକୁ ନେଇ ହୋଇଛି । ତେଣୁ ଏହାର ସୁରକ୍ଷା ପାଇଁ ଆମେ ସମସ୍ତେ ଚିନ୍ତା କରିବାର ସମୟ ଆସିଛିୁ ବୋଲି ଡଃ. ମିଶ୍ର କହିଥିଲେ । ପ୍ରମୋଦ ବହିଦାର ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକ ଅଞ୍ଚଳରେ ଆଜି ଭୀମଡୁଙ୍ଗୁରୀ ଓ ଚାନ୍ଦଲି ଭଳି ପର୍ବତକୁ ପର୍ଯ୍ୟଟନକ୍ଷେତ୍ର କରାଯାଇପାରିଛି । ଏହା ଫଳରେ ପାହାଡ ଓ ଜଙ୍ଗଲର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ମଧ୍ୟ ସୁରକ୍ଷିତ ହେଉଛି ବୋଲି କହିଥିଲେ । ଠିକ ସେହିପରି କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ପ୍ରଥମରେ ଅତିଥି ପରିଚୟ ଦେବା ସହିତ ଚାନ୍ଦଲି ଓ ଭୀମପାହାଡ ପର୍ଯ୍ୟଟନ କ୍ଷେତ୍ର ଦେଓଗାଁ ବ୍ଲକ ସମେତ ବଲାଙ୍ଗିର ଜିଲ୍ଲାର ଗୌରବ ବଢାଇଛି । ଆଜି ଏହି ଅଞ୍ଚଳର ଲୋକ ମହୋତ୍ସବ ମାଧ୍ୟମରେ ଏକତ୍ରିତ ହୋଇଛନ୍ତି । ଚାନ୍ଦଲିପାହାଡର ବିକାଶ ପାଇଁ ପୂର୍ବ ସରକାର ପର୍ଯ୍ୟଟନ ବିଭାଗରୁ ୧ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗରୁ ୩ କୋଟି ଟଙ୍କା ଓ ଅନ୍ୟାନ୍ୟ ଯୋଜନାରୁ ଦେଇଥିବା ଲକ୍ଷାଧିକ ଟଙ୍କାରୁ ବିକାଶ କାମ ଚାଲିଛି । ଏବେ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓ ଚାନ୍ଦଲିର ବିକାଶ ପାଇଁ ୧୦କୋଟି ଟଙ୍କା ଓ ଭୁଲିଆକଟା (ମେହେରକଟା)ର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକବାସୀଙ୍କ ଉଦ୍ୟମ ଯୋଗୁଁ ଆଜି ୨ଟି ପର୍ଯ୍ୟଟନସ୍ଥଳିର ବିକାଶ ହୋଇଛି ଓ ଏହା ଆଗାମୀଦିନରେ ଦେଓଗାଁ ଅଞ୍ଚଳର ପରିଚୟ ହେବା ସହ ଦେଶବିଦେଶରେ ନାମ କରିବ । ଲୋକଙ୍କ ଜୀବନଜୀବିକା ଓ ଅର୍ଥନୈତିକ ଉନ୍ନତି ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଶେଷରେ ଦେଷଣ୍ଢର ସରପଞ୍ଚ ଯଶୋଦା ମେହେର ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ କେଭିି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡଃ. ସଂଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡିଆବିଭାଗର ୧୫ଜଣ ଛାତ୍ରଛାତ୍ରୀ, ଦେଷଣ୍ଢ ଅଞ୍ଚଳର ଶତାଧିକ ପୁରୁଷ,ମହିଳା ଯୋଗଦେଇଥିଲେ ।

Leave A Reply

Your email address will not be published.