ମାସର ପ୍ରଥମ ଶନିବାର ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ରୋଗୀଙ୍କ ସ୍କ୍ରିନିଙ୍ଗ : ଭିମସାରରୁ ଆସିବେ ବିଶେଷଜ୍ଞ ଡାକ୍ତର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବୃଦ୍ଧି ପାଉଥିବାରୁ ଏଠାରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ କର୍କଟ ଚିକିତ୍ସାଳୟ ସ୍ଥାପନା କରିବାକୁ ଜନ ଆନ୍ଦୋଳନ ହୋଇଥିଲା । ରାଜ୍ୟ ସରକାର ଏହି ରୋଗର ଭୟାବହତାକୁ ଉପଲବ୍ଧି କରି ବରଗଡ ଖେଦାପାଲିସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍କଟ ଚିକିତ୍ସାଳୟ ଖୋଲାଯିବାକୁ ନୀତିଗତ ଭାବେ ନିଷ୍ପତ୍ତି ନେଇ ତା’ର ଟେଣ୍ଡର ପ୍ରକ୍ରିୟା ସାରିଦେଇଛନ୍ତି । ଏହା ନିର୍ମାଣ ହୋଇ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏଠାରେ ଅସ୍ଥାୟୀ ସ୍କ୍ରିନିଂ କେମ୍ପ ଆରମ୍ଭ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ସିଡିଏମ୍‌ଓ ଶ୍ରୀ ଅରୁଣ କୁମାର ପାତ୍ରଙ୍କ ବୁର୍ଲା ଭିମସାରର ନିର୍ଦ୍ଦେଶକ ଡ. ଲଲିତ କୁମାର ମେହେରଙ୍କ ଉଦ୍ଧେଶ୍ୟରେ ଲିଖିତ ଅନୁରୋଧ ପତ୍ରକୁ ନେଇ ଗତ ତା.୨୭/୧୦/୨୧ ଦିନ ୟୁନାଇଟେଡ ଫୋରମ ଫର୍‌ କେନ୍‌ସର୍‌ ହସ୍‌ପିଟାଲ ଇନ ବରଗଡ (UFCHB), ଫାଇଟର୍ସ ଗୃପ ଓ ଚେତନାର ସଦସ୍ୟମାନେ ମିଳିତ ଭାବେ ଭିମସାରର ନିର୍ଦ୍ଦେଶକ ଡ. ଶ୍ରୀ ଲଳିତ କୁମାର ମେହେରଙ୍କ ସହ ସାକ୍ଷାତ ଆଲୋଚନା କରି ବୁର୍ଲାର ଜଣେ ଡାକ୍ତରଙ୍କୁ ନିୟମିତ ବ୍ୟବଧାନରେ ବରଗଡ ସରକାରୀ ଡାକ୍ତରଖାନାକୁ ଆସିବାକୁ ଅନୁରୋଧ କରିଥିଲେ । ଡ. ମେହେର ସମସ୍ୟାର ଗମ୍ଭୀରତାକୁ ଦେଖି ଏଥିପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏବେ ଭିମସାରର ଅଧ୍ୟକ୍ଷ ତାଙ୍କ ପତ୍ର ସଂଖ୍ୟା ୭୫୧୨ ତା.୨୨/୧୨/୨୧ ମାଧ୍ୟମରେ ଡ. ଦୀପକ କୁମାର ପାଣିଗ୍ରାହୀଙ୍କୁ ପ୍ରତି ମାସର ପ୍ରଥମ ଶନିବାର ଦିନ ବରଗଡରେ ସ୍କ୍ରିନିଂ କେମ୍ପ କରିବା ପାଇଁ ଡେପୁଟେସନରେ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ବରଗଡ ତଥା ପଡୋଶୀ ଜିଲ୍ଲାର କର୍କଟ ରୋଗୀମାନଙ୍କ ପାଇଁ ଏକ ସୁଯୋଗ । ଏହି ସୁବିଧାର ସୁଯୋଗ ନେବା ପାଇଁ ଏହି ଖବର ସବୁଆଡେ ପ୍ରଚାରିତ କରାଯିବା ଆବଶ୍ୟକ । ଯଦି ରୋଗୀ ସଂଖ୍ୟା ବେଶୀ ହେବେ, ତେବେ ମାସକୁ ଦୁଇଥର ମଧ୍ୟ ଡ. ପାଣିଗ୍ରାହୀ ଆସିବାର ବ୍ୟବସ୍ଥା କରାଯିବାର ଡ. ଲଲିତ କୁମାର ମେହେର ପ୍ରତିଶ୍ରୁତି ଦେଇଛନ୍ତି । ଏହି ମହତ୍ କାର୍ଯ୍ୟ ପାଇଁ ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ୍‌ ବରଗଡ (UFCHB), ଫାଇଟର୍ସ ଗୃପ ଓ ଚେତନାର ସଦସ୍ୟମାନେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଭିମସାରର ନିର୍ଦ୍ଦେଶକ ଡ. ଲଳିତ କୁମାର ମେହେର, ସିଡିଏମ୍‌ଓ ଡ. ଅରୁଣ କୁମାର ପାତ୍ର ଏଡିଏମ୍‌ଓ ଡ. ଶ୍ରୀମତୀ ଚୂଳବତୀ ସାହୁ ଓ ଡ. ବିଭୂତି ଭୂଷଣ ମେହେର ଓ ବିଶେଷ କରି ଡ. ଦୀପକ କୁମାର ପାଣିଗ୍ରାହୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.