ଭଇଁଷାପାଲି ଟୋଲ ଗେଟରେ ଯାତ୍ରୀବାହୀ ବସ୍‌କୁ ଫି ଛାଡ ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର – ସୋନପୁର ଜାତୀୟ ରାଜପଥ ନଂ ୫୭ ଭଇଁଷାପାଲି ନିକଟରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏକ ଟୋଲ ଗେଟ ସ୍ଥାପନ କରାଯାଇଛି । ଅତିଶୀଘ୍ର ଏହି ଟୋଲଗେଟରେ ବିଭିନ୍ନ ପ୍ରକାର ଯାନବାହାନ ଠାରୁ ଫିସ ଆଦାୟ କରାଯିବ ବୋଲି ଜଣାପଡିବା ପରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାରେ ପଂଜିକରଣ କରାଯାଇଥିବା ଯଥା –OR- OD -03 ନମ୍ବର ଧାରୀ ଯାତ୍ରୀବାହୀ ବସ ଗୁଡିକୁ ଫି ଛାଡ କରାଯିବା ପାଇଁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ ଠାରେ ଦାବୀ ଉପସ୍ଥାପନ କରାଯାଇଛି । ଦାବୀପତ୍ରରେ କୁହାଯାଇଛି ଯେ, ବଲାଙ୍ଗିର –ସୋନପୁର ରାସ୍ତାରେ ପ୍ରତି ୧୫ ମିନିଟରେ ବଲାଙ୍ଗିର ସଂଘର ଅଧିକାଂଶ ବସ ଯାତାୟତ କରିଥାଏ । ଯାତ୍ରୀବାହୀ ବସ ଗୁଡିକ ଦୈନିକ ସର୍ବନିମ୍ନ ୨ ଥରରୁ ୬ ଥର ଏହି ରାଜପଥରେ ଯିବା ଅସିବା କରଥାଏ । ବସ ଗୁଡିକ ସମସ୍ତ ପ୍ରକାର ଟ୍ୟାକ୍ସ ଦେଉଥିବା ବେଳେ ପୁଣି ଏକ ଟୋଲ ଗେଟ ଫି ଦେବା ସମ୍ଭବ ପର ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ଭଳି କେବିକେ ଅଞ୍ଚଳରେ ଯାତ୍ରୀ ପରିବହନ ଏକ ଲାଭଜନକ ବ୍ୟବସାୟ ନୁହେଁ । ବଲାଙ୍ଗିର ଓ ସୁବର୍ଣପୁର ଜଲ୍ଲା ଉଭୟ କେବିକେ ଜିଲ୍ଲା ଅନ୍ତର୍ଗତ ହୋଇଥିବାରୁ ଏହି ଅଞ୍ଚଳରେ ଏହି ଟୋଲ ଗେଟ ଫି ଛାଡ କରାଯାଉ ବୋଲି ସଂଘ ଦାବୀ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ ସ୍ଥିତ ଜାତୀୟ ରାଜପଥ ଟୋଲ ଗେଟରେ ବରଗଡ ପଞିକୃତ ଯାନବାହାନ ଯଥା –OR- OD-17 ନମ୍ବର ଧାରୀ ସମସ୍ତ ଯାନ ବାହାନକୁ ଟୋଲ ଫି ଛାଡ କରାଯାଇଛି ।

Leave A Reply

Your email address will not be published.