ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡୁଛି ବିଜେଡି ଗଡ଼ : ଉପ ସଭାପତିଙ୍କ ସମେତ ୩ ଜଣଙ୍କ ଇସ୍ତଫା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡ଼ୁଛି ବିଜେଡିର ଗଡ଼ । ଇସ୍ତଫା ଦେଲେ ୩ ତୁଙ୍ଗନେତା ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅନୁଗତ । ଗତକାଲି ବିଜେଡି ସାଙ୍ଗଠନିକ ପଦରୁ ଉପ ସଭାପତି ରମେଶ ପୂଝାରୀ, ଯୁବ ବିଜେଡ଼ି ଉପ ସଭାପତି ମନୋଜ ପୁରୋହିତ ଓ ଉମେଶ ପୂଜାରୀ ଇସ୍ତଫା ଦେବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ରମେଶ ଉପ ସଭାପତି ଦାୟିତ୍ୱରେ ଥିବା ବେଳେ ଜିଲ୍ଲାର ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସଦୃଢ଼ କରିବାରେ ବେଶ ସକ୍ରିୟ ଥିଲେ । ସ୍ଥାନୀୟ ସମାଜସେବୀ ତଥା ବିଜେଡି ଯୁବ ସଂଗଠକ ଭାବେ ତାଙ୍କ ଭାଇ ଉମେଶ ପୂଜାରୀ ମଧ୍ୟ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଅଞ୍ଚଳରେ ବେଶ୍ ଦବଦବା ରଖିଥିଲେ । ବର୍ତ୍ତମାନ ରାମପୁରର ସରପଞ୍ଚ ତଥା ଯୁବ ବିଜେଡି ଉପସଭାପତି ମନୋଜ ପୁରୋହିତ ମଧ୍ୟ ଜଣେ ସଫଳ ନେତା ଭାବରେ ବେଶ୍ ଜଣାଶୁଣା । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକ ଶ୍ରୀ ପୂଜାରୀଙ୍କ ବାମ ଓ ଡାହାଣ ହାତ ହୋଇ ରମେଶ ଓ ଉମେଶ ଏକଦା ଦକ୍ଷତାର ସହ ଜିଲ୍ଲାରେ ବିଜେଡି ସାଙ୍ଗଠନିକ ଦାୟିତ୍ୱକୁ ପରିଚାଳନା କରିବା ସହ ବିଧାୟକ ଶ୍ରୀ ପୂଜାରୀଙ୍କୁ ସହାୟତା କରୁଥିଲେ । ସେହିପରି ରାମପୁର ସରପଞ୍ଚ ମନୋଜ ପୁରୋହିତ ଜିଲ୍ଲା ଯୁବ ବିଜେଡି ଉପସଭାପତି ପଦ ଓ ଡୁଙ୍ଗୁରିପାଲି ବ୍ଳକ ସରପଞ୍ଚ ସଂଘ ସଭାପତି ପଦରୁ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ନିଜ ବ୍ୟକ୍ତିଗତ କାରଣ ତଥା ବ୍ୟବସାୟିକ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଉଭୟେ ସାଙ୍ଗଠନିକ କାର୍ଯ୍ୟ ପାଇଁ ସମୟ ଦେବାରେ ଅସମର୍ଥ ଥିବା ଦର୍ଶାଇ ସାଙ୍ଗଠନିକ ପଦରୁ ଇସ୍ତଫା ଦେଇଥିବା ବେଳେ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ରମେଶ ।

Leave A Reply

Your email address will not be published.