ମହରାପଦର ପଂଚାୟତ ପୁର୍ବତନ ସରପଞ୍ଚ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସଭାପତି ପାଲାସାଗର ଭୋଇଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତର ପୁର୍ବତନ ସରପଞ୍ଚ ତଥା ୮୦ ଦଶକର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗ ଧାଡିର ନେତା ପାଲାସାଗର ଭୋଇ(୬୩)ଙ୍କ ଶୁକ୍ରବାର ଭୋରରେ ବରଗଡ଼ର ଏକ ଘରୋଇ ଡାକ୍ତର ଖାନାରେ ହ୍ରୁଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗୁରୁବାର ଗୁରୁତର ହେବା ପରେ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସକାଳେ ନିଜ ଗାଁ ମହରାପଦର ପଂଚାୟତ ବନମାଳ ଗାଁରେ ଶେଷକୃତ୍ୟ ସଂପୂର୍ଣ୍ଣ ହୋଇଛି । ତାଙ୍କର ପୁତ୍ର ସୁଶୀଳ ଭୋଇ ମୁଖାଗ୍ନି ଦେଇଥିଲେ । ସେ ଖପ୍ରାଖୋଲ ଅଂଚଳର ବିଭିନ୍ନ ସାମାଜିକ, ସଂସ୍କୃତି, ସଂଗଠନରେ ସାମିଲ ଥିବାବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥଲେ । ସେ ମହରାପଦର ପଂଚାୟତର ପୂର୍ବତନ ସରପଂଚ ଥିବାବେଳେ ତାଙ୍କ ସ୍ତ୍ରୀ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଥିଲେ । ତାଙ୍କ ବିୟୋଗରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଧନ ସିଂଦେଓ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.