ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ପ୍ରାୟ ତିନି ଦଶନ୍ଧି ଧରି ଦାବୀ ହୋଇଆସିଛି । ଏହା ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଉଦାସୀନତା ଘେନି ଅସନ୍ତୋଷ ବୃଦ୍ଧି ଦେଖାଦେଇଛି ।
ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନେତୃତ୍ୱରେ ଅନେକ ବର୍ଷ ଧରି ଏହି ଆନ୍ଦୋଳନ ଚାଲିବା ପରେ ଗତବର୍ଷ ଠାରୁ ଏହା ଜୋରଦାର ହୋଇଥିଲା । ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦ ସାମାଜିକ ସଂଗଠନ ଏକାଠି ହୋଇ ଏହି ବିମାନ ବନ୍ଦର ପ୍ରତିଷ୍ଠା ଆନ୍ଦୋଳନକୁ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇ ଥିଲେ । ବାଇକ୍ ରାଲି, ଜନସଚେନତା ସଭା, ମାନବ ଶୃଙ୍ଖଳ, ପୋଷ୍ଟକାର୍ଡ କ୍ୟାମ୍ପେନ, ଜନପ୍ରତିନିଧିଙ୍କ ସହ ବୈଠକ, ଜିଲ୍ଲାର ପ୍ରଶାସକଙ୍କ ସହ ବୈଠକ, ସବୁ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାର ବିଶିଷ୍ଟ ଲୋକମାନଙ୍କ ଦସ୍ତଖତ ଅଭିଯାନ । ରାଜ୍ୟ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଓ ଅନ୍ଲାଇନ୍ ସୋସିଆଲ ମିଡ଼ିଆ କ୍ୟାମ୍ପେନ ସହ ଏହି ସାମୂହିକ ଦାବୀ ଉପସ୍ଥାପନ ମାଧ୍ୟମରେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଆନ୍ଦୋଳନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିଲା ।
କରୋନାର ଦ୍ଵିତୀୟ ଲହର ପାଇଁ ଏହି ଆନ୍ଦୋଳନ କିଛି ଦିନ ପାଇଁ ଥମି ଥିଲେ ମଧ୍ୟ ପୁଣି ଗତ କିଛିଦିନ ହେଲା ପ୍ରସ୍ତୁତି ବୈଠକ ଆୟୋଜନ କରି ଏହି ଆନ୍ଦୋଳନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଅନ୍ୟ ସଂଗଠନ ପ୍ରୟାସ ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ ଅନୁଷ୍ଠିତ(୨୦-୨୧ ଜୁନ) ଦୁଇଦିନିଆ ବୈଠକରେ, ୫୦ କିମି ଦୂରରେ ଭୁବନେଶ୍ଵର ଓ ପୁରୀରେ ୨ଟି ଓ ପଶ୍ଚିିମଓଡ଼ିିଶାରେ ୩ଟି ବିମାନ ବନ୍ଦର ସରକାର ପ୍ରତିଷ୍ଠା କରୁଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୋୖଣସି ପଦକ୍ଷେପ ନେଉ ନଥିବାରୁ ଏହାର ତୀବ୍ରନିନ୍ଦା କରାଯାଇଥିବା ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ସୁଚନା ଦେଇଛନ୍ତି ।
ବୈଠକରେ ଉପସ୍ଥିତ ଥିବା ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଥିଲେ ଯେ ଜଗନ୍ନାଥଙ୍କ ନାମରେ ନାମକରଣ କରିବାକୁ ଚାହୁଁଛନ୍ତି ତ ଭୁବନେଶ୍ଵର ବିମାନବନ୍ଦରର ନାମ ପରିବର୍ତ୍ତନ ସରକାର କାହିଁକି ଗୁରୁତ୍ୱ ଦେଉ ନାହାନ୍ତି । ଅଥବା ପୁରୀଠାରେ ହେବାକୁ ଥିବା ବିମାନ ବନ୍ଦର ନାମ ଜଗନ୍ନାଥଧାମ ବିମାନ ବନ୍ଦର ବୋଲି ନାମକରଣ କରାଯିବା ଯଥାର୍ଥ ଜରୁରୀ ବୋଲି କୁହାଯାଇଛି ।
ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ଆଉ ବ୍ରହ୍ମପୁରର ବିଜ୍ଞପରିଷଦ ବର୍ଗର ଲୋକଙ୍କ ଦ୍ୱାରା ଆହୂତ ବୈଠକ ମହାମଞ୍ଚରେ ଓଡ଼ିଶାର ରାଜସ୍ୱ ଅର୍ଥ ସବୁଠୁ ଅଧିକ କେଉଁଠାରୁ ଆଦାୟ ହେଉଛି, ବୋଲି ପ୍ରଶ୍ନ କରାଯାଇଛି । ଓଡ଼ିଶା ରାଜସ୍ୱ ଅର୍ଥ କେବଳ ‘ଭୁବନେଶ୍ଵର, କଟକ ଆଉ ପୁରୀ’ କି ? ବୋଲି ପ୍ରଶ୍ନ କରାଯାଇଛି । ବ୍ରହ୍ମପୁର ମହାମଞ୍ଚରେ କୁହାଯାଇଛି ଯେ, ଲୁଣାହ୍ରଦ-ଚିଲ୍ଲିକା, ସୁଶୋଭିତ ପ୍ରାକୃତିକ ପରିବେଷ୍ଟନୀ ମଧୁରଜଳ ହ୍ରଦ ତାମ୍ପରା, ଗୋପାଳପୁର ବନ୍ଦର, ଆଇ.ଆର.ଇ.ଇଣ୍ଡିଆ ଲିଃ. ଏବଂ ଟାଟାଷ୍ଟିଲ କମ୍ପାନୀ ଭଳି ଅନେକ ଭିତ୍ତିଭୂମି ବ୍ରହ୍ମପୁରକୁ ଉଦାହରଣ ସ୍ୱରୂପ ବୁଝାଏ । ଅନେକ ଶସ୍ୟ ଓ ଶସ୍ୟଜାତ, ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ନଡ଼ିଆ, କଦଳୀ, ଆମ୍ବ, ପଣସ, ଲେମ୍ବୁ, ପାନ-ବରଜ, ବହୁମୂଲ୍ୟବାନ ଶସ୍ୟ କାଜୁ-ବାଦାମ, ବିଶ୍ୱ ବିରଳ ଜାତୀୟ ଫୁଲ- କିଆଁଫୁଲ ଆଦି ଆମଦାନୀ ହୋଇ ବ୍ରହ୍ମପୁରର ନାକୁ ସମୃଦ୍ଧ କରି ଆସିଛି । ଏହି ସବୁଥିରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ରାଜସ୍ୱ ବହୁ ପରିମାଣରେ ଆଦାୟ ହେଉଥିବା ଦୃଷ୍ଟିକୋଣରୁ ଏହାକୁ ଦକ୍ଷିଣ ଓଡ଼ିଶାର ମାନ୍ୟତା ଦେଇ ଏଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେବା ନିହାତି ଆବଶ୍ୟକତା ରହିଛି, ବୋଲି ବ୍ରହ୍ମପୁର ବାସୀ ତଥା ଦକ୍ଷିଣ ଓଡ଼ିଶାବାସୀଙ୍କର ମହନୀୟ ଦାବୀ ହୋଇଉଠିଛି । ଏହାକୁ ଜରୁରୀ ଭାବେ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ଜନପ୍ରତିନିଧି ଓ ଗତ ୨୫ ବର୍ଷରେ ୬ଥର ଏହି ଜିଲ୍ଲାରୁ ନିର୍ବାଚିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ଗୋଟିଏ ମଧ୍ୟ ଆଖିଦୃଷ୍ଟିଆ କାମ କରିନାହାନ୍ତି ବୋଲି ଫୋରମ୍ ସଭାପତି ମତବ୍ୟକ୍ତ କରି କହିଥିଲେ । ସେ କହିଥିଲେ ଯେ ଓଡ଼ିଶା ସରକାର କୋଉଠି କଣ କରୁଛନ୍ତି କରନ୍ତୁ କିନ୍ତୁ ଦକ୍ଷିଣ-ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ଯେଉଁ ସାବତ ମା’ର ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ବନ୍ଦ କରନ୍ତୁ ଓ ଅତି ଶୀଘ୍ର ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା କରନ୍ତୁ । ଏହି ବୈଠକ ପରେ ବ୍ରହ୍ମପୁରରେ ବିମାନ ବନ୍ଦର କେବେ ? ହେବ ଏନେଇ ସୋସିଆଲ ମିଡ଼ିଆରେ ଏକ ବିରାଟ କ୍ୟାମ୍ପେନ ଆରମ୍ଭ କରାଯାଇଥିଲା । ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆଗକୁ ଗଞ୍ଜାମ ଜିଲ୍ଲାରେ ବିରାଟ ଜନଆନ୍ଦୋଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଫୋରମ୍ ସଭାପତି ସୂଚନା ଦେଇଛନ୍ତି ।