ଟିଟିଲାଗଡ, (ଗୌରବ ଦର୍ଜୀ) : ମେଣ୍ଢାକୁ ଧକ୍କା ଦେଇ ରାସ୍ତା ଉପରେ ବାଇକ ଛିଟିକି ପଡିବା ଯୋଗୁଁ ବାଇକରେ ଥିବା ଏକ ବ୍ୟାଗର ଭର୍ତ୍ତି ହୋଇଥିବା ଗଞ୍ଜେଇ ରାସ୍ତା ଉପରେ ପଡିଥିଲା । ଯାହାକୁ ନେଇ ଅଞ୍ଚଳରେ ଗଞ୍ଜେଇର ବ୍ୟାପକ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ଅନୁମାନ ହେଉଛି । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ବେଲଗାଁ ମୁଖ୍ୟ ରାଜପଥ ୫୯ର ତରସିଂହା ଗାଁରେ । କଳାହାଣ୍ଡି ଜିଲ୍ଲା ରାମପୁର ପଟରୁ ନୂଆପଡ଼ା ଜିଲ୍ଲା ଅଞ୍ଚଳର ଦୁଇ ଜଣ ଗଞ୍ଜେଇ ବ୍ୟାପରି ଏକ ବାଇକରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ତରସିଂହା ଗାଁ ନିକଟରେ ଏକ ମେଣ୍ଡା ଓ ଏକ ସାଇକେଲକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଦୁଇଜଣ ଛିଟିକି ପଡ଼ିଥିଲେ । ତେବେ ଏହି ସମୟରେ ବାଇକରେ ଥିବା ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ରାସ୍ତା ଉପରେ ଛିଟିକି ପଡ଼ିଥିଲା । ଏନେଇ ଗାଁ ଲୋକେ ଟିଟିଲାଗଡ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ, ଗଞ୍ଜେଇ ବ୍ୟାଗ ସହ ନୂଆପଡ଼ା ଅଞ୍ଚଳର ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଅନ୍ୟଜଣେ ମୁକେଶ ହରିଜନ ଫେରାର ହେବାରେ ସକ୍ଷମ ହୋଇଛି ।