ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗ ଦ୍ୱରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ଶ୍ରୀ ଚୌଧୁରୀ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ପିପିଲିପାଲିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ପରିସରରେ ବୃକ୍ଷ ରୋପଣ କରିଥିଲେ କ୍ଷ ପରେ ପରେ ଲକର୍ମା ଗ୍ରାମରେ ଗୋଟେରୀ ହିତାଧିକାରୀଙ୍କୁ ଭେଟିବା ସହିତ ଜୀବନ ଜୀବିକା ଉପରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ସେ ଗସ୍ତ ଅବସରରେ ଲକର୍ମା ଠାରେ ଲେମୋନ ପ୍ରୋସେସିଂ ପ୍ଲାଣ୍ଟ, ସରକାରୀ ପଲିଟେକ୍ନିକ, ସାମ୍ବାଦିକ ଭବନ, ଫିସେରୀ ଫାର୍ମ ପ୍ରଭୁତି ବିଭିନ୍ନ ପ୍ରକଳ୍ପ ଦେଖିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା କିଲିଟାରି ସମ୍ମିଳନୀ କକ୍ଷରେ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ବୈଠକରେ ଜିଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସ୍ୱାଗତ ବକ୍ତବ୍ୟ ରଖିବା ସହ ଗସ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୈଠକରେ ଉପସ୍ଥାପନା କରିଥିଲେ । ଏହା ସହିତ ସେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଜନସାଧାରଣଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବା ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ଧନ, ଜିଲ୍ଲା ଶିଳ୍ପ ବିଭାଗ, ବୟନ ଶିଳ୍ପ, ଜାତୀୟ ଜୀବିକା ମିଶନର କାର୍ଯ୍ୟକ୍ରମ, ମତ୍ସ୍ୟ ଓ ପଶୁ ପାଳନ ପ୍ରଭୁତି ବିଭାଗର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଶ୍ରୀ ଚୌଧୁରୀ ସମୀକ୍ଷା ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଜିଲ୍ଲାର ଜୀବନ ଜୀବିକାକୁ ବିଶେଷ ଧ୍ୟାନ ଦେଇ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଯୁବକଯୁବତୀଙ୍କୁ କୁଶଳୀ ତଥା ଦକ୍ଷ କରିବା ପାଇଁ ତଥା ବ୍ୟାଙ୍କ ଋଣ ସହୟତା ଲକ୍ଷ୍ୟ ବୃଦ୍ଧି କରିବା ସହ ଟର୍ମ ଲୋନ ଉପରେ ଅଧିକ ଧ୍ୟାନ ଦେବାକୁ ଏଜିଏମ୍ ନାବାର୍ଡଙ୍କୁ ପରାମର୍ଶ ଦେଇଥିଲେ । ପୁନଶ୍ଚ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପିଡବ୍ଲୁଡ଼ି, ଆରଡ଼ି ଓ ଏମଆଇଙ୍କୁ ଜିଲ୍ଲାର ଶିକ୍ଷିତ ବୈଷୟିକ ଡିପ୍ଲୋମାଧାରୀଙ୍କୁ ଅଧିକ ଦକ୍ଷ ଓ କୁଶଳୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ପିଡ଼ିଡ଼ି ଆରଡ଼ିଏ ଡୋଳାମଣି ପଟେଲ, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ସୁକାନ୍ତ କୁମାର ଜେନା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଏମ ଡ଼ିଆଇସି, ଏଡ଼ିଟି, ସିଡ଼ିଏଓ ତଥା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଅପରାହ୍ନରେ ଶ୍ରୀଯୁକ୍ତ ଚୌଧୁରୀ ସ୍ଥାନୀୟ ସର୍କିଟ ହାଉସଠାରେ ସାମ୍ବାଦିକଙ୍କୁ ଆଜିର ଗସ୍ତ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଏହାପରେ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନରେ ଯାଇ ପାତାଳି ଶ୍ରୀକ୍ଷେତ୍ରର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା କରିଥିଲେ ।