oom

ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଭଜନ ସମାରୋହ ପାଇଁ ଥିଲା : ପେଟପାଟଣା ପାଇଁ ଫିନାଇଲ ପ୍ରସ୍ତୁତି ଶିଖେଇଲା କରୋନା

jsmm

ମ.ରାମପୁର, (ହେମନ୍ତ ସାହୁ) : କିଛି ବର୍ଷ ତଳେ ଦିବ୍ୟାଙ୍ଗମାନେ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ଉଦ୍ଦେଶ୍ୟରେ ମ.ରାମପୁରଠାରେ ଏକତ୍ରୀତ ହେଲେ । ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଇ ଦିବ୍ୟାଙ୍ଗ ଭାଇଭଉଣୀମାନେ ପରିବାରର ବୋଝ ହେବା ବଦଳରେ ନିଜେ କେମିତି ରୋଜଗାର କରିବେ, ସେ ଦିଗରେ ପାଦ ଆଗକୁ ବଢେଇଲେ । ସମସ୍ତଙ୍କ ନିଷ୍ପତି କ୍ରମେ ଏକ ଭଜନ ସମାରୋହ ଦଳ ଗଠନ କଲେ, ନାମ ରଖିଲେ ମା’ ଭୈରବୀ ଭଜନ ସମାରୋହ । ନିଜ ଭିତରେ ହିଁ କଣ୍ଠଶିଳ୍ପୀ, ବାଦ୍ୟକାର ସମସ୍ତେ । ସୂଚନା ଅନୁସାରେ ୨୦୧୭ ମସିହାରେ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା କାର୍ଯ୍ୟକ୍ରମର ଶୁଭଲଗ୍ନ ଦେଖି ଆରମ୍ଭ ହେଲା ଏହି ଭଜନ ସମାରୋହ । ପ୍ରଥମେ ପ୍ରଥମେ ମ.ରାମପୁର ଓ ପରେ ପରେ କଳାହାଣ୍ଡି ତଥା ସାରା ଓଡ଼ିଶାରେ ଏହି ଦିବ୍ୟାଙ୍ଗମାନେ ନିଜ ସ୍ୱର ଏବଂ ସଂଗୀତର ଯାଦୁରେ ଦର୍ଶକଙ୍କ ମନକୁ ବାନ୍ଧିଲେ । ଭଲ ଦି ପଇସା ବି ରୋଜଗାର କରୁଥିଲେ । କିନ୍ତୁ କରୋନା ଅନ୍ୟ ସମସ୍ତଙ୍କ ପିଠିରେ ପାହାର ଦେଲା ଭଳି ଏହି ଭଜନ ସମାରୋହର ଦିବ୍ୟାଙ୍ଗମାନଙ୍କ ପେଟରେ ମାରିଲା ଲାତ । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ଠପ୍ ହେଇଯିବା ପରେ ନିଜ ରୋଜଗାରରୁ ସଂଚିତ ଅର୍ଥରେ କଷ୍ଟେ ମଷ୍ଟେ ଗୋଟିଏ ବର୍ଷ ଚଳିଗଲେ ସିନା ଦ୍ୱିତୀୟ ଲହରୀ ବେଳକୁ ଜନସାଧାରଣଙ୍କୁ ସହାୟତା ନିମେନ୍ତ ନିବେଦନ କରିବାକୁ ପଡ଼ିଲା । ନିଜେ ରୋଜଗାର କରୁଥିବା ଏହି ସ୍ୱାଭିମାନୀ କଳାକାରଙ୍କ ମନରେ ଏହା ଗଭୀର ଭାବରେ ଆଘାତ ଦେଇଥିଲାଲା । ସ୍ଥିର କଲେ କିଛି ଗୋଟିଏ ଅନ୍ୟ ଏକ ରୋଜଗାରର ପନ୍ଥା ଦେଖିବାକୁ । ବାଙ୍ଗାଲୋରର ଏକ ସ୍ୱେଚ୍ଛାସେବୀ ସଂସ୍ଥା(ଏଫ୍‌ଭିଟିଆର୍‌ଏସ୍‌) ଏହି ଦିବ୍ୟାଙ୍ଗମାନେ ଏକମାସ ଧରି ଫିନାଇଲ ତିଆରି ପ୍ରଣାଳୀ ତାଲିମ ନେବା ସହିତ ଗୋଟିଏ ମାସ ଭିତରେ କିଭଳି ଏହାର ବଜାର ହୋଇ ପାରିବ ଏବଂ କିଭଳି ଏହାର ଗୁଣବତ୍ତା ରହିବା ସହିତ ଉତ୍ତମ ଭାବରେ ବିକ୍ରୀ ହୋଇ ପାରିବ ସେ ନେଇ ତାଲିମ ନେଇଛନ୍ତି । କାରଣ ଆଗକୁ ତୃତୀୟ ଲହର, ପୁଣି ଯଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ ହୁଏ, ଫିନାଇଲ ତିଆରି ସେମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି ସଂପାଦିକା ଟୁନି ପଣ୍ଡା ଏବଂ ସଭାପତି ଅଚ୍ୟୁତ ଭୋଇ ପ୍ରକାଶ କରିଛନ୍ତି । ତେବେ ଫିନାଇଲ ଲିଟର ପିଛା ଉଚିତ୍‌ ଦରରେ ବିକ୍ରୀ କରାଯିବ ବୋଲି କୋଷାଧ୍ୟକ୍ଷ ଜ୍ଞାନରଂଜନ କହଁର ସୂଚନା ଦେଇଛନ୍ତି । ତେବେ ଅଗଷ୍ଟ ଦୁଇ ତାରିଖରୁ ଏହି ତାଲିମ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଇଥିବା ଜଣାଯାଇଛି । ଏହି ପ୍ରତିଷ୍ଠାନର ୧୫ଜଣ ସଦସ୍ୟ (ଟୁନି ପଣ୍ଡା, ଦୁର୍ଯ୍ୟୋଧନ ଧରୁଆ, ଅଚ୍ୟୁତ ଭୋଇ, ଜ୍ଞାନରଂଜନ କହଁର, ତ୍ରିଲୋଚନ କହଁର, ଜିତ ରଂଜନ ନାଗ, ବିକାଶ ନାୟକ, ଲିତିମା ପ୍ରଧାନ, ପ୍ରମେଦାନ ସାହୁ, ସୁଶାନ୍ତ ସାହୁ, ଜିତେନ୍ଦ୍ର ପ୍ରଧାନ, ସାନ୍ତନୁ ସାହୁ, ପ୍ରସନ୍ନ କୁମାର ରାଉତ, ଚନ୍ଦ୍ରମଣି ସାହୁ ଏବଂ ରାଜେନ୍ଦ୍ର ଟୋଲଟିଆ)ଏବେ ଏଇ ଫିନାଇଲ ପ୍ରସ୍ତୁତି ତାଲିମ ନେଇଛନ୍ତି ଏବଂ ଆଗକୁ ଏହାକୁ ନେଇ ପେଟପାଟଣା କରିବାକୁ ଚିନ୍ତା କରିଥିବା ପ୍ରକାଶ କରିଛନ୍ତି । ଫିନାଇଲ୍‌ ତାଲିମ ସରୁ ସରୁ ବିକ୍ରୀ ବି ଆରମ୍ଭ ହେଇଥିବା କହିଛନ୍ତି ସଂପାଦିକା ଏବଂ ଏହାର ସଫଳତାକୁ ନେଇ ଆଶାବାଦୀ ବୋଲି ବି ପ୍ରକାଶ କରିଛନ୍ତି ସଭାପତି ଶ୍ରୀ ଭୋଇ । ତେବେ ଏଭଳି ଜଟିଳ ପରିସ୍ଥିତିରେ ବି ଦିବ୍ୟାଙ୍ଗମାନେ ହାରିଯିବା ଶିଖିନାହାନ୍ତି କି କଳାକୁ ଜୀବିକା କରୁଥିବା ଏହି କଳାକାରମାନେ ନିଜର ସ୍ୱାଭିମାନକୁ ନେଇ ବଂଚିବାର ଆଗ୍ରହ ହାରିନାହାନ୍ତି ବରଂ ପେଟପାଟଣା ଲାଗି ବିକଳ୍ପ ଚିନ୍ତା କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.