ଶ୍ରଦ୍ଧା, ରତି, ଭକ୍ତି ଅତିକ୍ରମ କଲେ ଭଗବତ ପ୍ରାପ୍ତି ହୁଏ : ଡ. ଷଡ଼ଙ୍ଗୀ

  • ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ସମାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ସଚ୍ଚିଦାନନ୍ଦ କବିଶତପଥୀଙ୍କ ସ୍ମୃତିରେ ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ଭକ୍ତି ରସାମୃତ କାର୍ଯ୍ୟକ୍ରମରେ ପ୍ରାଚୀନ ଧର୍ମଶାସ୍ତ୍ର ବିଶାରଦ ଡ. କୃଷ୍ଣକେଶବ ଷଡ଼ଙ୍ଗୀ କୃଷ୍ଣ କଥାର ଆଲୋଚକ ଭାବେ ଯୋଗଦେଇ କହିଲେ ଯେ, ତିନି ପାହାଚ ଯଥା ଶ୍ରଦ୍ଧା, ରତି, ଭକ୍ତି ଅତିକ୍ରମ କଲେ ଭଗବତ ପ୍ରାପ୍ତି ହୁଏ । ଏହା ସହ କୃଷ୍ଣ ଜନ୍ମ, କୃଷ୍ଣ କିପରି ପାଣ୍ଡବଙ୍କ ପିଉସୀ ପୁଅ ଭାଇ, ଶବ୍ଦଯୋଗ, ପରଂବ୍ରହ୍ମ, ଅସୁରଙ୍କୁ କିପରି ମୁଖପ୍ରଶଂସା, ସେବା ଓ ପରିଚର୍ଯ୍ୟା ସମ୍ପର୍କରେ ସୁନ୍ଦର ଆଲୋଚନା କରିଥିଲେ । ଦ୍ୱିତୀୟ ଦିବସରେ ଶୁକଦେବ ଗୋସ୍ୱାମୀ ଓ ପରିକ୍ଷିତଙ୍କ କଥପୋକଥନରୁ ମହାପ୍ରଭୁଙ୍କ ସହ ଚକ୍ଷୁ ମିଳନରେ ମୋକ୍ଷ ପ୍ରାପ୍ତି, ଗଙ୍ଗାଙ୍କ ଉତ୍ପତ୍ତି ସ୍ଥଳ ବିଷ୍ଣୁଙ୍କ ପାଦ ନଖ କୋଣ, ଭଗବାନ କିପରି ଜ୍ଞାନ ଓ ପୁତନା କିପରି ଅଜ୍ଞାନର ପ୍ରତୀକ, ଭଗବାନଙ୍କ ଦୁଇ ଆଖି କିପରି ସୂର୍ଯ୍ୟ ଓ ଚନ୍ଦ୍ର ସହ ତୁଳନା, ଭଗବାନ ଯାହା ଗ୍ରହଣ କରନ୍ତି ତାହା କିପରି ନିର୍ମାଲ୍ୟ, ରୋଗ, ଇନ୍ଦ୍ରିୟ, ଶତ୍ରୁ ଆଦିଙ୍କୁ ସମୂଳେ ନିର୍ମୁଳ କାହିଁକି କରିବା, ଯମୁନା ନଦୀ କୃଷ୍ଣଙ୍କ ପାଇଁ କିପରି ଉନ୍ମତ୍ତ, ପୁତନା ବଦ୍ଧ, କୃଷ୍ଣ ଲୀଳା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଏହି କୃଷ୍ଣ କଥା ଆଲୋଚନା ଚକ୍ରକୁ କଳ୍ପତରୁ ଆଶ୍ରମର ଅଧ୍ୟକ୍ଷା ଡ. ସରୋଜିନୀ ପତି ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଆବାହକ ତଥା ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିବାବେଳେ ଏହି କୃଷ୍ଣ କଥା ରସାମୃତକୁ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାହିତ୍ୟିକ ଓ ବିଭୁ ପ୍ରେମୀ ଶ୍ରଦ୍ଧାଳୁଗଣ ପାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀମତୀ କବିଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.