jayashree

ପିଆଇବି ଭୁବନେଶ୍ୱର ପକ୍ଷରୁ ପୁରୀଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

● ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ : ପିଆଇବି ଡିଜି ଭୂପେନ୍ଦ୍ର କେଁଥୋଲା

ଭୁବନେଶ୍ୱର, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ପୁରୀ ଠାରେ ଏକ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପିଆଇବି ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କେଁଥୋଲା କହିଥିଲେ ଯେ, ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ । ସମାରୋହକୁ ସମ୍ବୋଧିତ କରି ଶ୍ରୀ କେଁଥୋଲା ଆହୁରି କହିଥିଲେ ଯେ, ମହାମାରୀ କାରଣରୁ ପରିସ୍ଥିତିରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଛି । ‘‘ସ୍ମାର୍ଟ ଫୋନ୍ ଜରିଆରେ ଅନଲାଇନ୍ ବା ଡିଜିଟାଲ ମିଡିଆ ଆକାରରେ ସାମ୍ବାଦିକତାର ଏକ ନୂଆ ଧାରା ଏବେ ପ୍ରଚଳନ ହେଉଛି, ପ୍ରତ୍ୟେକ ସାମ୍ବାଦିକ ଏହା ସହିତ ନିଜକୁ ଖାପଖୁଆଇବାର ଆବଶ୍ୟକତା ରହିଛି । ନୂଆ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକମାନଙ୍କର କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱରୋପ କରିଥିଲେ ।

ଏହି କର୍ମଶାଳରେ ପୁରୀର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ଅଂଶଗ୍ରହଣ କରି ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସାଧାରଣ ଲୋକମାନଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ବାତ୍ୟା, ମହାମାରୀ ଦ୍ବାରା ପ୍ରଭାବିତ ହୋଇଥାନ୍ତି । ସେମାନଙ୍କର ସମସ୍ୟା ବୁଝିବା ସହିତ କଲ୍ୟାଣ ଦିଗରେ କାମ କରିବା ଲାଗି ବର୍ତ୍ତମାନ ସମୟ ଆସିଛି ବୋଲି ଶ୍ରୀ ବସ୍ତିଆ ପରାମର୍ଶ ଦେଇଥିଲେ ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ ବରଂ ଏକ କୌଶଳ । ବାର୍ତ୍ତାଳାପ ଭଳି କର୍ମଶାଳା ଆୟୋଜନ କରାଯିବା ଦ୍ବାରା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ମତ ବିନିମୟ ପାଇଁ ମଞ୍ଚ ଉପଲବ୍ଧ ହୋଇପାରିବ । ଆମ ଭିତରେ ଆଲୋଚନା ଏବଂ ବିଚାର ଆଦାନପ୍ରଦାନ ହେଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

ବୈଷୟିକ ଅଧିବେଶନରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ ଆଧୁନିକ ସମୟର ସାମ୍ବାଦିକତାରେ ଅନେକଗୁଡ଼ିଏ ସମସ୍ୟା ଏବଂ ଆହ୍ବାନ ରହିଛି । କୌଣସି ସଂସ୍ଥା କିମ୍ବା ସଂଗଠନ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ କାମ କରିବାର ଭାବନା ଜଣେ ସାମ୍ବାଦିକର ମନରେ ସୃଷ୍ଟି ହେବା ଉଚିତ୍ । ସାମ୍ବାଦିକ ସବୁବେଳେ ଲୋକମାନଙ୍କୁ ସୂଚନା ଦେବା, ସଚେତନତା ସୃଷ୍ଟି କରିବା ଏବଂ ମନୋରଞ୍ଜନ ଯୋଗାଇ ଦେବାର ଭୂମିକା ନିର୍ବାହ କରିବା ଉଚିତ୍ ବୋଲି ସେ କହିଥିଲେ । ବରିଷ୍ଠ ସାମ୍ବାଦିକ, ସନ୍ଦୀପ ସାହୁ, ନୈତିକ ସାମ୍ବାଦିକତା ଏବଂ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ବ୍ୟବସାୟୀକରଣ, ବ୍ୟକ୍ତିବିଶେଷ, ସଂଗଠନ ଏବଂ ସମସ୍ତଙ୍କ ଠାରୁ ଆଗରେ ରହିବାର ପ୍ରତିଯୋଗିତା କାରଣରୁ ସାମ୍ବାଦିକତା କ୍ଷେତ୍ରରେ ନୈତିକତା ପ୍ରଭାବିତ ହେଉଛି । କୌଣସି ବିଷୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବରୁ ଜଣେ ପ୍ରକୃତ ସାମ୍ବାଦିକ ସବୁବେଳେ ସଠିକ ମାର୍ଗରେ ରହିବା ଉଚିତ୍ ଏବଂ ତଥ୍ୟର ପୂଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ ।

ପିଆଇବି ଉପନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥଲେ । ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧକାରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାକୁ ପରିଚାଳନା କରିଥିଲେ । ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା । ବାର୍ତ୍ତାଳାପ ସମ୍ପର୍କରେ ସେମାନଙ୍କ ଠାରୁ ସବିଶେଷ ମତାମତ ଏବଂ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଥଲା । ଏହି ଗଣମାଧ୍ୟମ କର୍ମଶାଳାରେ ପୁରୀରୁ ପାଖାପାଖି ୮୦ ଜଣ ସାମ୍ବାଦିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.