jayashree

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦ୍‌ଯାପିତ

  • ବିଚାର ପ୍ରକ୍ରିୟା ସରଳୀକରଣ ତଥା ଆଞ୍ଚଳିକ ଭାଷାରେ ହେବା ଦରକାର : ଡଃ ନନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଚାର ପ୍ରକ୍ରିୟା ସରଳୀକରଣ ଓ ଆଞ୍ଚଳିକ ଭାଷାରେ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକୋତ୍ସବ ସ୍ଲାଶ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁକାନ୍ତ କୁମାର ନନ୍ଦ ନିଜ ବକ୍ତବ୍ୟରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ସ୍ଲାଶର ଦ୍ୱିତୀୟ ଦିନରେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱ ଓ ମହାବିଦ୍ୟାଳୟ କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧୁସୂଦନ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁକାନ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ବରଗଡ଼ ବିକାଶ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିକ୍ରମ କୁମାର ଦାସ ଓ ରାଉରକେଲା ବାର ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଓ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମୋନାଲିସା ସାହୁ ଓ ଶୁଭମ ଓରାମଙ୍କ ମଂଚ ସଂଯୋଜନାରେ ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ବେହେରା ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆବାହକ ଶ୍ରୀ ମହାନ୍ତି ଆଇନ ମହାବିଦ୍ୟାଳୟର ଇତିବୃତ୍ତି ସଂପର୍କରେ ଆଲୋଚନା କରିବା ସହ ଏହା ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ସଂପ୍ରତି ବିଚାରାଳୟ ମାନଙ୍କରେ ଅତ୍ୟଧିକ ମାମଲା ପଡି ରହୁଥିବାରୁ ଅଧିକ ଆଇନ ମହାବିଦ୍ୟାଳୟ, ବିଚାରକ ଓ ଆଇନଜୀବୀ ସୃଷ୍ଟି ହେବା ଦରକାର । ଯାହା ସାଂପ୍ରତିକ ସ୍ଥିତିରେ ଯୁବସମାଜ ପାଇଁ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଆମକୁ ସିଂହ ପାଖରେ ଥିବା ଆଦବ କାଇଦାକୁ ଆପଣେଇବାକୁ ପଡିବ । ଅନ୍ୟତମ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ଆଇନ ଶିକ୍ଷା ପ୍ରତି ବିଦ୍ୟାର୍ଥୀଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ମଣିଷ ଅଭାବ ଅସୁବିଧାରେ ମରିପାରେ । ମାତ୍ର ମଣିଷର ଅଧିକାର ଖର୍ବ ନହେଉ । ଶିକ୍ଷା ବ୍ୟବସ୍ଥା ନଷ୍ଟ ହେଲେ ଆଗାମୀ ଭବିଷ୍ୟତ ନଷ୍ଟ ହେବ । ନିଜ ଅଧିକାର ନିଜେ ବୁଝିବା ସହିତ ଅନ୍ୟକୁ ବୁଝାଇପାରିଲେ ଏହି ଶିକ୍ଷା ସାର୍ଥକ ହେବ । ମୁଖ୍ୟ ଅତିଥି ଡଃ ନନ୍ଦ କହିଲେ ଯେ ସାଧାରଣ ଲୋକଙ୍କ ପାଖରେ ବିଚାର ପ୍ରକ୍ରିୟା ପହଞ୍ଚିବା ଦରକାର । ତେଣୁ ଲୋକଙ୍କ ଭାଷାରେ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ।ଏହାସହ ବିଚାର ପ୍ରକ୍ରିୟା ସରଳୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲୁମନି ଆସୋସିଏସନ୍‌ର ସଭାପତି ଡଃ ସୁମନ ଦତ୍ତ, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଏମଡି ରଫିକ, ସନ୍ତୋଷ ଭଦ୍ର, ଦେବାଶିଷ ମହାନ୍ତି, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ବିଭୁତି ଭୂଷଣ ପୁହାଣ, ସଚ୍ଚିଦାନନ୍ଦ ପରିଡା, ବବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳୟର ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ସମ୍ପାଦିକା ମହାନ୍ତି, ଡଃ ଦିବ୍ୟେନ୍ଦୁ ପଣ୍ଡା, ତନ୍ମୟରାଜ ପାଢୀ ଓ ବଡବାବୁ ମନୋରଞ୍ଜନ ମହାନ୍ତି ତଥା ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ସତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.