ମ.ରାମପୁର, (ହେମନ୍ତ ସାହୁ) : ନୂଆଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ବିଶ୍ଵ ଯୁବ କେନ୍ଦ୍ରଠାରେ ଗତ ତିରିଶ ତାରିଖ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏକ ବକ୍ତା କର୍ମଶାଳା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲେଖକ, କବି, ଆଇନଜୀବୀ ତଥା ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଦିବାସୀଙ୍କ ଉତ୍ଥାନ ଓ ସଚେତନତା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଭାରତର ଜନଜାତି ସମାଜ ନିଜର ଆଧ୍ୟାତ୍ମିକ ପରମ୍ପରା, ବିଶିଷ୍ଟ ସଂସ୍କୃତି ଓ ଶ୍ରେଷ୍ଠ ଜୀବନ ମୂଲ୍ୟ ଯୋଗୁଁ ସଦା ଭାରତୀୟ ସଂସ୍କୃତି ଓ ସଭ୍ୟତାର ଅଭିନ୍ନ ଅଙ୍ଗ ରହିଆସିଛନ୍ତି । ଦେଶର ପ୍ରତିଟି ସଂକଟ ମୁହୁର୍ତରେ ଜନଜାତି ସମାଜ ନିଜର ବୀରତ୍ଵ ଓ ବଳିଦାନ ଦେଇ ରାଷ୍ଟ୍ରୀୟ ସୁରକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରି ଆସିଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗଠିତ ଆନ୍ଦୋଳନ କିମ୍ବା ବିଦ୍ରୋହ ବ୍ୟତୀତ ଜନଜାତି ସମାଜ ଦ୍ଵାରା ବ୍ୟକ୍ତିଗତ ବଳିଦାନର ଏକ ଲମ୍ବା ତାଲିକା ରହିଛି । ଏପରି ହଜାର ହଜାର ନାମ ରହିଛି ଯେଉଁ ମାନଙ୍କର ବଳିଦାନ ଇତିହାସ ପୃଷ୍ଠାରେ ଦେଖାଯାଏ ନାହିଁ । ଜନଜାତି ସମାଜର ଅନେକ ଲୋକଗୀତ ଓ କାହାଣୀ ରହିଛି ଯାହାକି ଇଂରେଜମାନଙ୍କ ସହିତ ସମାଜର ସଂଘର୍ଷ ଓ ବଳିଦାନର ସୂଚନା ଦିଏ । ସେହି କାରଣରୁ ସ୍ଵାଧୀନତା ସଂଗ୍ରାମରେ ଜନଜାତି ସମାଜର ଯୋଗଦାନ ଓ ଜନଜାତି ସମାଜର ବଳିଦାନ ସଂପର୍କରେ ଯୁବ ବର୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶର ଶହେରୁ ଅଧିକ ବିଶ୍ଵବିଦ୍ୟାଳୟରେ “ସ୍ଵାଧୀନତା ସଂଗ୍ରାମରେ ଜନଜାତି ନାୟକଙ୍କ ଯୋଗଦାନ” ବିଷୟରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୬ ଜଣ ଜନଜାତି ସମାଜର ବିଶିଷ୍ଟ ବ୍ୟକ୍ତି ବକ୍ତା ଓ ସଂଯୋଜକ ଭାବରେ ଯୋଗଦେଇଥିଲେ । ବଲାଙ୍ଗିର ଡିଗ୍ରୀ କଲେଜର ଅଧ୍ୟାପକ ଡ଼ କୈତୁକ ପନ୍ଦର, ଟିଟିଲାଗଡ଼ର ଅବସରପ୍ରାପ୍ତ ସିଡିପିଓ ଗୀତାଞ୍ଜଳି ଭୋଇ, କନ୍ଧମାଳର ପ୍ରଦୀପ କହଁର, ବାରିପଦାର ବିଶ୍ଵାମିତ୍ର ମହନ୍ତ, ମୟୁରଭଞ୍ଜର ସନାତନ ମୁର୍ମୁ ଓ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଯୋଡାବନ୍ଧ ଗ୍ରାମର ବିଶିଷ୍ଟ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ । ଏହି ବିଶିଷ୍ଟ ବ୍ୟକ୍ତି ତଥା ଜନଜାତି ସମାଜର ସଂଯୋଜକ ଭାବରେ ରାଜ୍ୟର ଆଠଟି ବିଶ୍ଵବିଦ୍ୟାଳୟରେ ଜନଜାତି ନାୟକମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବେ । ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ସ୍ୱାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟ କରିବ । ଶ୍ରୀ ପନ୍ଦର ସମ୍ପ୍ରତି ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଜଣେ ଉଦୀୟମାନ ଯୁବ ଗାଳ୍ପିକ ଭାବରେ ତାଙ୍କର ଖ୍ୟାତି ରହିଛି । ଏହି ରାଷ୍ଟ୍ରୀୟ ଶିବିରରେ ସେ ଯୋଗ ଦେଇ ଥିବାରୁ ବିଭିନ୍ନ ଉପାଦେୟ ତଥ୍ୟ ଓ ଜ୍ଞାନ ଲାଭ କରିଥିବା କହିଛନ୍ତି । ଉଲ୍ଲେଖ ଥାଉକି ଶ୍ରୀ ପନ୍ଦର କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମାଣିକରା ଗ୍ରାମ ପଞ୍ଚାୟତର ଉପର ନୂଆ ଗାଁର ସ୍ଥାୟୀ ବାସିନ୍ଦା ଅଟନ୍ତି ।
Next Post