ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଚଳିତ ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବରଗଡ ଧନୁଯାତ୍ରା ସମିତି ସଭାପତି ତଥା ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଧନୁଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଜେଟ୍ ଅନୁମୋଦନ ସହିତ ଏ ବର୍ଷର ଧନୁଯାତ୍ରା କିପରି ଅଧିକ ଆକର୍ଷଣୀୟ ହୋଇପାରିବ, ସେ ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ରାଜ ଦରବାର କମିଟି, ରଙ୍ଗମହଲ କମିଟି, ଗୋପପୁର କମିଟି, ପ୍ରଚାର ପ୍ରସାର କମିଟି, ସାଂସ୍କୃତିକ କମିଟି ସହିତ ଆଗାମୀ ଧନୁଯାତ୍ରା ପାଇଁ ହୋଇଥିବା ଅଗ୍ରଗତି ବାବଦରେ ସୂଚନା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ପ୍ରଚାର ପ୍ରସାର କମିଟି ତରଫରୁ ୨୨ ଗୋଟି ଦଳକୁ ନେଇ ସାଂକୃତିକ ଶୋଭାଯାତ୍ରା ହେବାକୁ ଥିବା ବେଳେ ଧନୁଯାତ୍ରା ମହୋତ୍ସବକୁ ନେଇ ଆଗାମୀ ୨୫ ତାରିଖରେ ୧୪ ବର୍ଷରୁ ଅଧିକ ବୟସ୍କ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ କାର୍ଯ୍ୟକ୍ରମ ସେମିନାର ହେବ ବୋଲି ସୂଚନା ମିଳିଥିଲା । ସେହିପରି ଚଳିତ ବର୍ଷ ରାଜ ଦରବାର, ରଙ୍ଗମହଲ ଏବଂ ନନ୍ଦ ମଣ୍ଡପରେ ରାଜ୍ୟ ତଥା ରାଜ୍ୟ ବାହାର ଏପରିକି ରାଜ୍ୟ ବାହାରରୁ ମଧ୍ୟ ସାଂସ୍କୃତିକ ଦଳମାନ ଯୋଗଦେଇ ନୃତ୍ୟ, ଗୀତ ପରିବେଷଣ କରିବେ ବୋଲି ସୂଚନା ଦିଆଯାଇଛି ।ଏହି ଅବସରରେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକାରୀ ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଡେପୁଟି କଲେକ୍ଟର ଅଶ୍ୱିନୀ ଦାସ, ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କଲ୍ୟାଣୀ ଦାସ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସନା, ପୌର ପରିଷଦ ଅଧ୍ୟକ୍ଷ, କଳ୍ପନା ମାଝୀ, କିଶୋର ମିଶ୍ର, ଗୁଣ ସିଂ, ଅଶୋକ ବେହେରା, ଲିପସିତ ମିଶ୍ର, ହରଦୀପ ସିଂ, ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ, ସମୀର ପ୍ରଧାନ, ଗୋପାଳ ଦାସଙ୍କ ସମେତ ବିଭିନ୍ନ ସମିତିର ସଦସ୍ୟଗଣ ବୈଠକରେ ଉପସ୍ଥିତ ଥିଲେ ।