- ନୂତନ ଭୋଟର ନିମନ୍ତେ ବର୍ଷକୁ ମିଳିବ ୦୪ ଥର ସୁଯୋଗ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ନିର୍ବାଚନୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବନ୍ଧରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି, କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି । ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ପ୍ରୟାଶୀ ପ୍ରଧାନ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ଆଇନ ୧୯୫୦/୫୧ର ପରିବର୍ତ୍ତନ କରାଯାଇ ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ- ୨୦୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜିକରଣ ଫର୍ମର କାର୍ଯ୍ୟକାରିତା ସମ୍ୱନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସୂଚନା ପ୍ରଦାନ କରିଥିଲେ । ପରିବର୍ତ୍ତନ ଅନୁସାରେ ପୂର୍ବରୁ ନୂଆଁ ଭୋଟରଙ୍କ ପଞ୍ଜିକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରଣ ସୁବିଧା ପାଇଁ ବ୍ୟବହାର କରାଯାଉଥିବା ୬ ନଂ ଫର୍ମକୁ କେବଳ ନୂତନ ଭୋଟରଙ୍କ ପଞ୍ଜିକରଣ ପାଇଁ ବ୍ୟବହାର କରାଯିବ । ସେହିପରି ଫର୍ମ ୮ ରେ ପୂର୍ବରୁ ଭୋଟର ତାଲିକାରେ ତ୍ରୁଟି ଥିବା ବିବରଣୀର ସଂଶୋଧନ କରାଯାଉଥିଲା, ମାତ୍ର ଏବେ ସେଥିରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତର ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀ ସଂଶୋଧନ ନିମନ୍ତେ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚି଼ହ୍ନଟ ଆଦି କରାଯିବ । ଫର୍ମ ୭ ନାମ ବାଦ ଦେବାପାଇଁ ବ୍ୟବହାର କରାଯିବ ମାତ୍ର ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ । ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଯୁବବର୍ଗଙ୍କ ପାଇଁ ଭୋଟର ହେବା ପୂର୍ବରୁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା ମାତ୍ର ଏବେ ୦୪ ଥର ସୁଯୋଗ ମିଳିବ । ଜାନୁୟାରୀ ୦୧, ଏପ୍ରିଲ ୦୧, ଜୁଲାଇ ୦୧ ଓ ଅକ୍ଟୋବର ୦୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ ଅର୍ଥାତ ୦୪ଟି ଯୋଗ୍ୟତା ସୂଚକ ତାରିଖରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରାଯାଇପାରିବ । ଅଗଷ୍ଟ ୦୧ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କାର୍ଯ୍ୟକ୍ରମ ଅନଲାଇନରେ କରାଯାଇପାରିବ । ଏଥି ସହିତ ଅଫଲାଇନରେ ବିଏଲଓ କିମ୍ବା ଭୋଟର ସହାୟତା କେନ୍ଦ୍ର ସହାୟତାରେ କରାଯାଇପାରିବ । ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ । ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ନୂତନ ଫର୍ମ ୦୬ (ଖ) ପ୍ରଚଳନ କରାଯାଇଛି । ବୈଠକରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଭାବେ ବିଜେଡିରୁ କଇଁରୁ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସରୁ ସୁଧୀର ପଣ୍ଡା, କମ୍ୟୁନିଷ୍ଟ ପାର୍ଟିରୁ ଗୋବିନ୍ଦ ମହାରଣାଙ୍କ ସହ ସହକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ବି.ଏମପୁର ଚିତ୍ତରଞ୍ଜନ ମିଶ୍ର ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ କାର୍ଯ୍ୟାଳୟ ସୋନପୁର ଅମରେନ୍ଦ୍ର ସ୍ୱାଇଁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର, ବିଭାଗୀୟ କର୍ମଚାରୀ ପଦ୍ମଲୋଚନ ଧରୁଆ, ଜୟଦ୍ରଥ ଜଗଦଳା ପ୍ରମୁଖ ଯୋଗଦାନ କରିଥିଲେ ।