ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ସମନ୍ୱୟ ବୈଠକ

  • ଜିଲ୍ଲାରେ ଜୁନ ୧ ତାରିଖ ଠାରୁ “ନୋ ହେଲମେଟ ନୋ ପେଟ୍ରୋଲ”କୁ କଡାକଡି କରିବା ଉପରେ ଜିଲ୍ଲାପାଳଙ୍କ କଡା ନିର୍ଦେଶ
  • ଜିରୋ କାଜୁଆଲିଟି ଉପରେ ବୈଠକରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ତତ୍‌ ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅଧ୍ୟକ୍ଷତା କରି ଜିଲ୍ଲାର ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ତା ୨୪/୦୫/୨୨ରେ ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନର ବର୍ଦ୍ଧିତ ଜନ ବସତି ସାଙ୍ଗକୁ ଦୁଇ ଚକିଆ, ଚାରିଚକିଆ ଯାନର ବହୁଳ ବ୍ୟବହାର ସଡ଼କ ସୁରକ୍ଷା ସଚେତନତା ପାଇଁ ଜରୁରୀ ଓ ଅପରିହାର୍ଯ୍ୟ ହୋଇପଡିଛି । ବିଶେଷ କରି ଗାଡି ଚାଳନା ସତର୍କତା ଅବଲମ୍ବନ ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହେବ । ଯେପରି ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଉଚିତ ସ୍ଥାନରେ ଗାଡି ପାର୍କିଙ୍ଗ କରିବା, ଗାଡି ଚାଳନା ଲାଇସେନ୍ସ ଓ ଇନ୍‌ସୁରେନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଛି । ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲକୁ ଗୁରୁତ୍ୱାରୋପ ପୂର୍ବକ ପେଟ୍ରୋଲ ପମ୍ପ ମାଳିକମାନେ ଯତ୍ନବାନ ହେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେବା ସହ ଏହି ମହତ କାର୍ଯ୍ୟରେ ଆନ୍ତରିକ ସହଯୋଗ କାମନା କରିଥିଲେ । ଜିଲ୍ଲପାଳଙ୍କ ନିର୍ଦେଶ କ୍ରମେ ଆସନ୍ତା ଜୁନ ୧ ତାରିଖରୁ ନୋ ହେଲମେଟ ନୋ ପେଟ୍ରୋଲକୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ନିଷ୍ପତି କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାପ କରିବାର ଜଣାପଡିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ଟ.୫୦୦୦/- ଜୋରିମାନା ଆଦାୟ କରାଯିବ । ଜିଲ୍ଲା ପୋଲିସ ପ୍ରଶାସନ, ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକୁ ଯାଞ୍ଚ କରିବା ଉପରେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ପେଟ୍ରୋଲ ପମ୍ପ ମାଲିକ ପମ୍ପ ପରିସରରେ ସିସି ଟିଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ପରାମର୍ଶ କରିଛନ୍ତି । ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ପମ୍ପ ମାଲିକମାନେ ପମ୍ପ ପରିସରରେ ଜନସାଧାରଣଙ୍କ ନିମନ୍ତେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଗୁରୁତ୍ୱାରୋପ କରିଛନ୍ତି । ସହର ତଥା ଜନ ଗହଳିପୂର୍ଣ୍ଣ ସ୍ଥାନ, ଜାତୀୟ ତଥା ରାଜ୍ୟ ରାଜପଥ ପାର୍ଶ୍ଵରେ ଭାରି ଯାନ ପାର୍କିଙ୍ଗ ନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଦୁର୍ଘଟଣାକୁ ରୋକିବା ନିମନ୍ତେ ଆବଶ୍ୟକ ସଚେତନତା ଉପରେ ଆଲୋକପାତ କରିଥିଲେ । ବୈଠକରେ ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ପେଟ୍ରୋଲ ମାଳିକ ସଙ୍ଘ କର୍ମକର୍ତ୍ତା ତଥା ମାଳିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.