jayashree

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

  • ଏନ୍‌ଫୋର୍ସମେଣ୍ଟକୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ
  • ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥକୁ ସଂଲଗ୍ନ ରାସ୍ତାରେ ହମ୍ପସ, ରମ୍ବଲର ତଥା ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ – ଦୁର୍ଘଟଣା ପ୍ରବଣ, ବୁଲାଣୀ ରାସ୍ତା ଉପରେ ସୂଚନା ଫଳକ ସହ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏସ୍‌ଇ ପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ
ଡ଼. ବିଶ୍ୱରଂଜନ ପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ, ନିର୍ବାହୀ ଯନ୍ତ୍ରୀ ଏନ୍‌ଏଚ୍‌ ବଲାଙ୍ଗିର ଡିଭିଜନ ଇଂ.ପ୍ରହଲ୍ଲାଦ ମୁଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ, ଟ୍ରକ ମାଲିକ ସଂଘ ସଭାପତି ଭାସ୍କର ବାବୁ ଶ୍ରଦ୍ଧାକର ଦାଶ, ରେଆର ପ୍ରତିନିଧି ଅଞ୍ଜଳି ନେଗୀ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ମୃତ୍ୟୁଞ୍ଜୟ ଶତପଥୀ, ଜିଏମ୍‌ ଓ ଏସ୍‌ଆର୍‌ଟିସି ଜୟଶ୍ରୀ ମଣ୍ଡଳ ଲକ୍ଷ୍ମୀ, ଏମ୍‌ଭି ଆଇ ବିଶ୍ୱ ରଞ୍ଜନ ସାହୁ, ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ । ଗତମାସ ଅନୁଷ୍ଠିତ କମିଟି ବୈଠକର ଆଲୋଚନା ମୁତାବକ ବିଭାଗୀୟ ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗୀୟ କାର୍ଯ୍ୟକାରିତାର ଅଗ୍ରଗତି ଉପରେ ଜିଲ୍ଲାପାଳ ପଚାରି ବୁଝିଥିଲେ, ଏହି ପରିପ୍ରେକ୍ଷୀରେ ଏନ୍‌ଏଚ୍‌ ଡିଭିଜନର କାର୍ଯ୍ୟକାରିତା ନୈରାଶ୍ୟ ଜନକ ହେତୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ । ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ରାସ୍ତାଗୁଡିକର ଭିତ୍ତି ଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲା ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ସହ ଅନ୍ୟାନ୍ୟ ଚିହ୍ନଟ ସମ୍ବେଦନଶୀଳ ସ୍ଥାନ/ଅଞ୍ଚଳରେ ସାଂକେତିକ ଫଳକ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ସହିତ ତୁରନ୍ତ ଜରୁରୀ ସହାୟତା ନମ୍ବର ପ୍ରଦର୍ଶନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ପୁନଶ୍ଚ ସୋନପୁରଠାରୁ ବିଏମ୍‌ପୁର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ବୁଲାଣୀ ସହ ସମ୍ବେଦନଶୀଳ ରାସ୍ତା ଅଞ୍ଚଳରାସ୍ତା ଉପରେ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ଇଂ ମୁଣ୍ଡାଙ୍କୁ ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ତୁରନ୍ତ ସୂଚନା ଫଳକ, ରମ୍ବଲର, ସ୍ପିଡ଼ ବ୍ରେକର ଲଗାଇବା, ସୋନପୁର ବଲାଙ୍ଗିର ଏନ୍‌ଏଚ୍‌ ରାସ୍ତାରେ ଆବଶ୍ୟକ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ରାୟ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ହେଲମେଟ ଯାଞ୍ଚ, ସହ ଅନ୍ୟାନ୍ୟ ଅବ୍ୟବସ୍ଥିତ ଗାଡି ଚାଳନା ତଥା ଆଇନ ଉଲଂଘନକାରୀଙ୍କ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ଚଳିତ ବର୍ଷ ଜୁଲାଇ ମାସରେ ବିନା ହେଲମେଟ ଗାଡିଚାଳନାରେ ୨୪୫ ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ ୩୬୦, ବିନା ସିଟ ବେଲ୍ଟ ଗାଡି ଚାଳନାରେ ୮୯, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ ୨୨, ମାଲ ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ ୦୯ ଏବଂ ମଦ୍ୟପ ଗାଡିଚାଳନାରେ ୨୧ଜଣଙ୍କୁ ଧରାଯାଇଥିବା ବେଳେ ୧୭୨ ଜଣଙ୍କ ଗାଡି ଚାଳନା ପଞ୍ଜିକରଣକୁ ରଦ୍ଦ କରାଯାଇଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୩ ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ ୫୭ଟି ସଡ଼କ ଦୁର୍ଘଟଣା ଘଟି ୩୯ ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚିତ କରିଛନ୍ତି । ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବାରେ ଗାଡି ଚାଳକ ତଥା ଜନସାଧାରଣ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.