om academy

କୋଭିଡ଼ ସମ୍ପର୍କିତ ଗଞ୍ଜାମ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ : ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯିବ

jsm
  • ଏଣିକି ଗ୍ରାହକ ମାସ୍କ ପରିଧାନ କରି ନଥିଲେ ଦୋକାନୀ ଠାରୁ ଜୋରିମାନା ଆଦାୟ ହେବ
    ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତ୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ୟ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ସକାଶେ ଗଞ୍ଜାମ ଜ଼ିଲ୍ଲାକୁ ଫୋକସ କରି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସହ ବିଭିନ୍ନ ସୁବିଧା ସକାଶେ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଡାକ୍ତର ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସେହି ସବୁ ସୁବିଧା ଉପଲବ୍ଧ ହେବା କାଠିକର ବ୍ୟାପାର ଏଣୁ ଜ଼ିଲ୍ଲାଵାସୀ ନିଜଆଡୁ ସତର୍କତା ଅଵଲମ୍ବନ କରିବା ଆବଶ୍ୟକ, ନଚେତ ପରିସ୍ଥିତି ସାଙ୍ଘାତିକ ଆଡକୁ ଗତିକରି ବିପର୍ୟୟ ସ୍ଥିତି ଆଡକୁ ମୁହାଇବା ଆଶଙ୍କା ରହିଛି । ଏଥି ସକାଶେ ଆଜି ଶନିବାର ପୂର୍ବାହ୍ନ ସମୟରେ ଭିଡିଓ କନଫରେନ୍ସ ଜରିଆରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉଚ୍ଚପଦାଧିକାରୀମାନଙ୍କୁ ସତର୍କତା ଅବଲମ୍ବନ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ବର୍ତ୍ତମାନ ଯାହା ସବୁ କାର୍ୟ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରିକରାଯିବ । ଫେରୁଥିବା ପ୍ରବାସୀ ମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ । ଯେଉଁ ପ୍ରବାସୀମାନେ ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଚିକିତ୍ସାଳୟରେ ଆର.ଆର.ଟି.କୀଟ୍‌ ମହଜୁଦ କରି ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଏକୁଟିଆ ବା ଆଇସୋଲେସନରେ ରଖିବା ସକାଶେ ସମସ୍ତ ସୁବିଧା ଥାଇ ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ୟ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ଜ଼ିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଯେଉଁ ଦୋକାନ ବା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିବା ନଜର ଆସିଲେ ଏଣିକି ଦୋକାନୀମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କରେଣ୍ଟାଇନ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ । ଅକ୍ସିଜେନ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତକରି ରଖାଯିବ । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଏଭଳି ତିରିଶି ଗୋଟି ଆମ୍ବୁଲାନ୍ସ ରଖାଯିବ । ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ଟୀକା ପ୍ରଦାନ କରାଯିବ । ତହସିଲଦାର ଗଣ ଚଢ଼ାଉ କାର୍ୟ୍ୟ ବ୍ୟାପକ କରି ଦୋକାନୀ ଓ ମାସ୍କ ପରିଧାନ କରି ନଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବେ । ପାଞ୍ଚସୂତ୍ରୀ କାର୍ୟ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବ । ସମସ୍ତ ବସ ଡ୍ରାଇଭରମାନଙ୍କୁ ଟୀକା ଦିଆଯିବ । ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡି କେୟାର ସେଣ୍ଟର ପ୍ରସ୍ତୁତ କରାଯିବ । କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ । କୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ.ସିଦ୍ଧେ‌ଶ୍ୱର ବଳିରାମ ବୋନ୍ଦାର, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, (ସାଧାରଣ) ଅତିରିକ୍ତ ଜ଼ିଲ୍ଲାପାଳ ଅମୀୟ କୁମାର ସାହୁ, (ରାଜସ୍ୱ), ବ୍ରହ୍ମପୁର ଉପ ଜ଼ିଲ୍ଲାପାଳ ୱ.କୀର୍ତ୍ତି ୱାସନ, ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜ଼ିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।
Leave A Reply

Your email address will not be published.