ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଭାରତର ତ୍ୱରିତ ପ୍ରଗତିରେ ବିଶ୍ୱବିଦ୍ୟାଳୟର ରହିବ ବଡ଼ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ

  • ଏସଜିଟି ବିଶ୍ୱବିଦ୍ୟାଳୟରେ ‘ଚାନସେଲର ଲାଇବ୍ରେରୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ
  • ଏହି ପାଠାଗାର ଜରିଆରେ କୁଳାଧିପତି ପଦ୍ମଭୂଷଣ ରାମ ବାହାଦୁର ରାୟ ସାମାଜିକ ଜୀବନରେ ନିଜର ସବୁଠାରୁ ବଡ ସମ୍ପତ୍ତି ଦାନ କରିଛନ୍ତି
  • ସମାବର୍ତ୍ତନ ସମାରୋହ ଯୁବବର୍ଗଙ୍କ ପାଠ ପଢିବାର ଶେଷ ପାହାଚ ନୁହେଁ, ବରଂ ସେମାନଙ୍କ କ୍ୟାରିୟର, ପରିବାର, ଦେଶ ଓ ସମାଜ ପ୍ରତି ନୂଆ ଦାୟିତ୍ୱର ଆରମ୍ଭ
  • ଆମକୁ ଡିପଟେକ୍ ସମେତ ନୂତନ ଜ୍ଞାନକୌଶଳ ଉପରେ ଆମର ଶକ୍ତିକୁ ମଜଭୂତ୍ କରିବାକୁ ହେବ

ଗୁରୁଗ୍ରାମ/ହରିୟାଣା, (ପିଆଇବି) : ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ଭବିଷ୍ୟତର ଆବଶ୍ୟକତାକୁ ମ୍ୟାପିଂ କରି ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରାଇବାରେ ବିଶ୍ୱବିଦ୍ୟାଳୟର ବଡ଼ ଭୂମିକା ରହିବ ବୋଲି ଶୁକ୍ରବାର ଗୁରୁଗ୍ରାମ ସ୍ଥିତ ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଐତିହାସିକ ଏବଂ ସାଂସ୍କୃତିକ ସହର ଗୁରୁଗ୍ରାମରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟର ସମାରୋହରେ ଡିଗ୍ରୀ ଏବଂ ସ୍ୱର୍ଣ୍ଣ ପଦକ ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଏହି ସମାବର୍ତ୍ତନ ସମାରୋହ ଯୁବବର୍ଗଙ୍କ ପାଠ ପଢିବାର ଶେଷ ପାହାଚ ନୁହେଁ, ବରଂ ସେମାନଙ୍କ କ୍ୟାରିୟର, ପରିବାର, ଦେଶ ଓ ସମାଜ ପ୍ରତି ନୂଆ ଦାୟିତ୍ୱର ଆରମ୍ଭ । ଚଳିତ ଶତାବ୍ଦୀରେ ବିଶ୍ୱରେ ଉଭା ହୋଇଥିବା ପ୍ରତ୍ୟେକ ନୂଆ ଆର୍ଥିକ ହଟ୍ ସ୍ପଟରେ କୌଣସି ନା କୌଣସି ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଗାମୀ ବର୍ଷଗୁଡ଼ିକରେ ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବରେ ଉଭା ହେବ ଏବଂ ସେହି ସମୟରେ ଏସଜିଟି ଭଳି ବିଶ୍ୱବିଦ୍ୟାଳୟ ଭବିଷ୍ୟତର ଆବଶ୍ୟକତାକୁ ମ୍ୟାପିଂ କରି ଭାରତର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବ । ଏସଜିଟି ବିଶ୍ୱବିଦ୍ୟାଳୟରେ ‘ଚାନସେଲର ଲାଇବ୍ରେରୀ’ର ଶୁଭାରମ୍ଭକୁ ପ୍ରଶଂସା କରି ସେ କହିଛନ୍ତି ଯେ ଭାରତୀୟ ଜ୍ଞାନ ପରମ୍ପରା ଅନୁଯାୟୀ, ଆମ ଯୁବପିଢ଼ିଙ୍କୁ ଗଢ଼ି ତୋଳିବା ପାଇଁ ଏସଜିଟି ବିଶ୍ୱବିଦ୍ୟାଳୟର ‘ଚାନସେଲର ଲାଇବ୍ରେରୀ’ ଶୁଭାରମ୍ଭ ସ୍ୱାଗତଯୋଗ୍ୟ । ଏହି ପାଠାଗାର ଜରିଆରେ କୁଳାଧିପତି ପଦ୍ମଭୂଷଣ ରାମ ବାହାଦୁର ରାୟ ସାମାଜିକ ଜୀବନରେ ନିଜର ସବୁଠାରୁ ବଡ ସମ୍ପତ୍ତି ଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଆମ ପିଲାମାନଙ୍କର ବ୍ୟକ୍ତିଗତ ବିକାଶର ରୋଡମ୍ୟାପ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଭାରତ ଶିଳ୍ପ ବିପ୍ଳବ ୪.୦ର ନେତୃତ୍ୱ ନେବା ଦରକାର ଏବଂ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଦାୟିତ୍ୱ ନେବା ଉଚିତ୍ । ଭାରତର ଯୁବପିଢ଼ି ଉଚ୍ଚାଭିଳାଷୀ । ଆଜି ଆମେ ସର୍ଭିସ ଏବଂ ବିନିର୍ମାଣ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛୁ । ଆଗାମୀ ଦିନରେ ଆମକୁ ଡିପଟେକ୍ ସମେତ ନୂତନ ଜ୍ଞାନକୌଶଳ ଉପରେ ଆମର ହାତକୁ ମଜଭୂତ୍ କରିବାକୁ ହେବ । ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବିଶ୍ୱ ସମସ୍ୟାର ସମାଧାନ ଅନ୍ୱେଷଣ କରିବା ସହ ନୂଆ ଟେକ୍ନୋଲୋଜି, ନବସୃଜନର ସଂସ୍କୃତି ଏବଂ ଓ୍ୱେଲଥ୍ କ୍ରିଏସନକୁ ପ୍ରୋତ୍ସାହିତ କରିବାକୁ ହେବ । ଆଗାମୀ ଦିନରେ ଭାରତ ବିଶ୍ୱ କଲ୍ୟାଣର ଦାୟିତ୍ୱ ନେବ । ଜାତୀୟ ଶିକ୍ଷା ନୀତିରେ ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ଏବଂ ଏସଜିଟି ଭଳି ବିଶ୍ୱବିଦ୍ୟାଳୟ ଏହାର ସଫଳ ପ୍ରୟୋଗଶାଳା ହେବ ।

Leave A Reply

Your email address will not be published.